ନନ୍ଦନକାନନକୁ ଆସିବେ ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ

ଭୁବନେଶ୍ୱର (ରାଜ୍ୟ କାହାଣୀ )ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ ହେବ । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି । ପ୍ରାଣୀ ଉଦ୍ୟାନରେ ନୂଆ ଖୁଆଡ଼ ସହିତ ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ ବହୁଗୁଣିତ କରିବ ବୋଲି ଆଶା କରାଯାଉଛି।ଏଥର ନନ୍ଦନକାନନ କର୍ତ୍ତୃପକ୍ଷ କିଛି ବିଦେଶୀ ନୂଆ ଜନ୍ତୁ ସହିତ କିଛି ପୁରୁଣା ଜନ୍ତୁ ଆଣୁଛନ୍ତି । ସେଥିରେ ଅଛନ୍ତି ଜେବ୍ରା, ଆଫ୍ରିକୀୟ ଚିତା, ବୁଲ୍ ୱାଇଲ୍ଡ ବିଷ୍ଟ, ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ, ପୂର୍ବ ହିମାଳୟର ରେଡ୍ ପାଣ୍ଡା ।ସୂଚନାଯୋଗ୍ୟ ଯେ, ଭାରତରେ ୧୯୫୨ ମସିହାରେ ଲୁପ୍ତ ହୋଇଯାଇଥିବା ଚିତାକୁ ୨୦୨୨ ମସିହାରେ ପ୍ରୋଜେକ୍ଟ ଚିତା ମାଧ୍ୟମରେ ନାମିବିଆ, ଦକ୍ଷିଣ ଆଫ୍ରିକା ଏବଂ ବୋତ୍ସବାନାରୁ ଅଣାଯାଇଥିଲା। ଏହା ସହିତ ଆଫ୍ରିକାର ପ୍ରସିଦ୍ଧ ବ୍ଲୁ ୱାଇଲ୍ଡବିଷ୍ଟ୍ ମଧ୍ୟ ନନ୍ଦନକାନନ ଆସିବାକୁ ଯାଉଛନ୍ତି। ଏହି ନୂତନ ପ୍ରଜାତିର ଆଗମନ ଓଡ଼ିଶାକୁ ଆଫ୍ରିକୀୟ ବନ୍ୟଜନ୍ତୁଙ୍କ ଏକ ନିଆରା ଅନୁଭୂତି ଆଣିଦେବ।ଏହି ଜନ୍ତୁଙ୍କ ପାଇଁ କିଛି ଖୁଆଡ଼ କାର୍ଯ୍ୟ ଶେଷ ହୋଇଥିବା ବେଳେ କିଛି ଖୁଆଡ଼ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନନ୍ଦନକାନନ ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖ ପୂର୍ବରୁ ଏହି ଜନ୍ତୁ ଆସିବେ । ଏକ ମାସ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବା ପରେ ଖୁଆଡ଼ରେ ଛଡ଼ାଯିବ । ପ୍ରତିଷ୍ଠା ଦିବସ ପରେ ପର୍ଯ୍ୟଟକ ବହୁ ବିଦେଶୀ ଜୀବଜନ୍ତୁ ଦେଖିପାରିବେ ।

You might also like