ଦିଲ୍ଲୀ-NCRରେ ପ୍ରଦୂଷଣ ରୋକିବାକୁ କଡ଼ା ପଦକ୍ଷେପ, ନଭେମ୍ବର ୧ରୁ ଗାଡ଼ି ଉପରେ କଟକଣା!

ଶୀତ ଋତୁ ପୂର୍ବରୁ ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଆସନ୍ତା ନଭେମ୍ବର ୧ରୁ ଦିଲ୍ଲୀ ବାହାରେ ପଞ୍ଜୀକୃତ ଏବଂ BS-VI ନିର୍ଗମନ ମାନଦଣ୍ଡ ପୂରଣ କରୁନଥିବା ଗାଡ଼ିର ପ୍ରବେଶ ଉପରେ କଟକଣା ଲାଗୁ ହେବା ନେଇ ସୂଚନା ମିଳିଛି। ଏହାଦ୍ୱାରା ଜାତୀୟ ରାଜଧାନୀ ଅଞ୍ଚଳ (NCR)ର ୧୦ ଲକ୍ଷରୁ ଅଧିକ ଗାଡ଼ି ପ୍ରଭାବିତ ହୋଇପାରନ୍ତି।ଶୀତ ଋତୁରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ହେଉଥିବାରୁ ପୁରୁଣା ଓ ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ିର ଚଳାଚଳ ନିୟନ୍ତ୍ରଣ କରିବାକୁ ଏହି ପଦକ୍ଷେପ ନିଆଯାଉଛି। ଏହି କଟକଣା ୨୦୨୭ ଜାନୁଆରୀ ୩୧ ପର୍ଯ୍ୟନ୍ତ ରହିବା ନେଇ ସୂଚନା ରହିଛି।ତେବେ BS-VI ମାନଦଣ୍ଡ ପୂରଣ କରୁଥିବା ଗାଡ଼ିଗୁଡ଼ିକୁ ଯାତାୟାତ ପାଇଁ ଅନୁମତି ମିଳିବ। CNG ଓ ବୈଦ୍ୟୁତିକ ଗାଡ଼ି ସମେତ ନିର୍ଦ୍ଦିଷ୍ଟ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିକୁ ମଧ୍ୟ ନିୟମ ଅନୁଯାୟୀ ଛାଡ଼ ମିଳିପାରେ।

କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଦିଲ୍ଲୀ ସୀମାରେ ଯାଞ୍ଚ ବ୍ୟବସ୍ଥାକୁ ମଜବୁତ କରାଯିବ। ଏଥିସହ ନମ୍ବର ପ୍ଲେଟ୍‌ ଚିହ୍ନଟ କରୁଥିବା AI ଆଧାରିତ କ୍ୟାମେରା ମାଧ୍ୟମରେ ନିୟମ ଉଲ୍ଲଂଘନକାରୀ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯିବ।ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ଯାଞ୍ଚ କଡ଼ାକଡ଼ି କରାଯିବ। ଅଧିକ ଧୂଆଁ ଛାଡ଼ୁଥିବା ଗାଡ଼ିଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ନିୟମ ଅନୁଯାୟୀ ଜରିମାନା ଆଦାୟ ସହ ଆବଶ୍ୟକ ସ୍ଥଳେ ଗାଡ଼ି ଜବତ କରାଯାଇପାରେ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ ଭିତରକୁ ପ୍ରବେଶ ନକରି ଟ୍ରକ୍‌ଗୁଡ଼ିକୁ ପୂର୍ବ ଓ ପଶ୍ଚିମ ପେରିଫେରାଲ୍ ଏକ୍ସପ୍ରେସୱେ ଦେଇ ଯିବାକୁ ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଦିଲ୍ଲୀରେ ଅନାବଶ୍ୟକ ଭାରୀ ଯାନ ଚଳାଚଳ କମିବା ସହ ପ୍ରଦୂଷଣ ହ୍ରାସ ପାଇବ।

You might also like