ଓଡ଼ିଶାର ହକକୁ କେନ୍ଦ୍ର ସରକାର ଛଡ଼େଇ ନେବା ପ୍ରତିବାଦରେ ଓଡ଼ିଶା ସ୍ୱାଭିମାନ ମଞ୍ଚର “ଦିଲ୍ଲୀ ଚାଲ” ର ଡାକରା
ଭୁବନେଶ୍ୱର: ରାଜ୍ୟ କାହାଣୀ -ଓଡ଼ିଶାର ହକକୁ କେନ୍ଦ୍ର ସରକାର ଛଡ଼େଇ ନେବା ପ୍ରତିବାଦରେ ଓଡ଼ିଶାରୁ ଶତାଧିକ ସ୍ୱାଭିମାନୀ ଓଡ଼ିଆ ଦିଲ୍ଲୀ ଯିବା ପାଇଁ ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ମୂଳଦୁଆ ପଡ଼ିଛି।ଶନିବାର ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ କର୍ମଶାଳାରେ ବିଜେଡି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ରବି ଦାସ ଓ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ଇଂ ଲଳିତ ମୋହନ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ।
ନିକଟରେ ସଂସଦରେ ଯେଉଁ MMDR Act ରେ ସଂଶୋଧନ ହୋଇଛି, ତାହା ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଛି।
ଆଗକୁ ଓଡ଼ିଆଙ୍କ ସ୍ୱରକୁ ଶାଣିତ କରିବା ପାଇଁ ଓ ରାଜ୍ୟର ହକକୁ ସାବ୍ୟସ୍ତ କରିବା ପାଇଁ ରାଜ୍ୟରୁ ଶତାଧିକ ଓଡ଼ିଆ ଦିଲ୍ଲୀ ଯିବେ। ଏନେଇ ରାଜ୍ୟର ୧୫ଟି ଜିଲ୍ଲାରେ ଜନ ଜାଗରଣ ସମାବେଶ ଆୟୋଜନ କରାଯିବ ବୋଲି ମଞ୍ଚର ମୁଖପାତ୍ର ପ୍ରମୋଦ ସାମନ୍ତରାୟ ସ୍ପଷ୍ଟ କରିଛନ୍ତି।
ଏଥିସହ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ସାମିଲ କରିବା ପାଇଁ କେନ୍ଦ୍ରୀୟ ସଂଯୋଜକ ଦିଲ୍ଲୀପ ମିଶ୍ରଙ୍କ ନେତୃତ୍ୱରେ ହାଇଦ୍ରାବାଦ, ବେଙ୍ଗଲୁରୁ, ଚେନ୍ନାଇ, ମୁମ୍ବାଇ, ସୁରଟ ଓ ଦିଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ଜନ ଜାଗରଣ ସମାବେଶ କରାଯିବ ବୋଲି ଆବାହକ ସୁଧାଂଶୁ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ସହ ଯୋଗାଯୋଗ କରି ଆସନ୍ତା କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ମତ ପ୍ରକାଶ ପାଇଛି।
କାର୍ଯ୍ୟକ୍ରମ ଶେଷରେ ମଞ୍ଚର ଗଣମାଧ୍ୟମ ଉପଦେଷ୍ଟା ହୃଷିକେଶ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଛନ୍ତି।