ଆଜିଠୁ ପୁଣ୍ୟମାସ କାର୍ତ୍ତିକ : ବ୍ରତ ପାଳନ କରିବେ ହବିଷ୍ୟାଳୀ
ଭୁବନେଶ୍ଵର (ରାଜ୍ୟ କାହାଣୀ )ଆଜି ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ। ଯାହାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସହରର ସମସ୍ତ ମଠବାଡ଼ି ଠାରୁ ଆରମ୍ଭ କରି ସରକାରଙ୍କ ହବିଷ୍ୟାଳୀ ଶିବିରରେ ଏବେ ବ୍ରତଧାରୀଙ୍କ ଭିଡ଼।ମହାକାର୍ତ୍ତିକ ବ୍ରତ ପାଳନ କରିବାକୁ ରବିବାର ରାତି ସୁଦ୍ଧା ଶ୍ରୀକ୍ଷେତ୍ର ପୁରୀରେ ୧୮୦୦ ହବିଷ୍ୟାଳି ପହଞ୍ଚି ସାରିଛନ୍ତି। ଆଉ ଅବଶିଷ୍ଟ ୬୦୦ ଜଣଙ୍କ ବୁକିଂ ସରିଛି ଓ ସମସ୍ତେ ସୋମବାର ସକାଳେ ପହଞ୍ଚିବେ।ସେପଟେ ସରକାରୀ ହବିଷ୍ୟାଳୀ ଶିବିରରେ ପ୍ରାୟ ଅଢ଼େଇ ହାଜରରୁ ଅଧିକ ପଞ୍ଜୀକୃତ ହବିଷ୍ୟାଳୀଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଥିବା ବେଳେ କିଛି ଅଣ ପଞ୍ଜୀକୃତ ହବିଷ୍ୟାଳୀ ମଧ୍ୟ ପୁରୀରେ ପହଞ୍ଚିଛନ୍ତି। ସେମାନଙ୍କୁ ଥଇଥାନ ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଚଳିତବର୍ଷ ରାଜ୍ୟରୁ ସର୍ବମୋଟ ୨୫ଶହ ହବିଷ୍ୟାଳୀ ନାମ ପଞ୍ଜୀକରଣ କରାଯାଇଛି।ପ୍ରଶାସନ ପକ୍ଷରୁ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ରେଳ ବିଭାଗର ଟ୍ୟୁରିଷ୍ଟ ଯାତ୍ରୀ ରହଣି ସ୍ଥଳ ଓ ମହାନଗର କଲ୍ୟାଣୀ ମଣ୍ଡପ ଆଦିରେ ବ୍ରତଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ତିନୋଟି ହବିଷ୍ୟାଳୀ ଶିବିରରେ ପଞ୍ଜୀକୃତ ହବିଷ୍ୟାଳୀଙ୍କୁ ରଖିବାପରେ ଯଦି ଖାଲି ରୁହେ ତେବେ ଅନ୍ୟମାନଙ୍କ କଥା ଚିନ୍ତା କରାଯିବ ବୋଲି ପ୍ରଶାସନ କହିଛି ।ସେହିଭଳି ପୁରୀର ବିଭିନ୍ନ ମଠ, ଆଶ୍ରମ, ଧର୍ମଶାଳାରେ ବି ହବିଷ୍ୟାଳି ଭିଡ଼ ଜମାଇଛନ୍ତି । ଗୋଏଙ୍କା ଧର୍ମଶାଳା, ଦୁଦୁୱାଲା ଧର୍ମଶାଳା ସମେତ ଅନ୍ୟାନ୍ୟ ଧର୍ମଶାଳାରେ ଶତାଧିକ ହବିଷ୍ୟାଳି ରହିଛନ୍ତି । ବିଭିନ୍ନ ମଠରେ ମଧ୍ୟ ହବିଷ୍ୟାଳି ଆସି ରହିଛନ୍ତି । ଏହି ହବିଷ୍ୟାଳିମାନେ ସୋମବାର ସକାଳୁ ସଂକଳ୍ପ କରି ବିଧିବଦ୍ଧ ଭାବେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ।