ପୋପ୍‌ଙ୍କୁ ଫୁସଫୁସ କ୍ୟାନସର୍‌: ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

କ୍ୟାଥୋଲିକ ଚର୍ଚ୍ଚର ସର୍ବୋଚ୍ଚ ଆଧ୍ୟାତ୍ମିକ ଗୁରୁ ପୋପ୍ ଲିଓ ଚତୁର୍ଦ୍ଦଶଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଭଟିକାନ୍ ଏକ ଗୁରୁତ୍ୱପୂର୍ଣ୍ଣ ମେଡିକାଲ୍ ବୁଲେଟିନ୍ ଜାରି କରିଛି। ଏଥିରେ କୁହାଯାଇଛି, ମଙ୍ଗଳବାର ରୋମର ଜେମେଲି ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ୭୧ ବର୍ଷୀୟ ପୋପ୍‌ଙ୍କର ଫୁସଫୁସ ଟ୍ୟୁମର କାଢ଼ିବା ପାଇଁ ୯୦ ମିନିଟର ସଫଳ ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଯାଇଛି। ଅସ୍ତ୍ରୋପଚାର ସମୟରେ କରାଯାଇଥିବା ଟିସୁ ପରୀକ୍ଷାରୁ ପପ୍‌ଙ୍କୁ ପଲମୋନାରୀ ଆଡେନୋକାର୍ସିନୋମା ବା ଫୁସଫୁସ କର୍କଟ ରୋଗ ହୋଇଥିବା ନିଶ୍ଚିତ ହୋଇଛି। ହସ୍ପିଟାଲର ମୁଖ୍ୟ ଥୋରାସିକ୍ ସର୍ଜନ ପ୍ରଫେସର ଷ୍ଟେଫାନୋ ମାର୍ଗାରିଟୋରା ଏବଂ ତାଙ୍କ ଡାକ୍ତରୀ ଦଳ ଭିଡିଓ ସହାୟକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ତାଙ୍କ ଡାହାଣ ଫୁସଫୁସର ତଳ ଅଂଶକୁ ସଫଳତାର ସହ କାଢ଼ି ଦେଇଛନ୍ତି। ଆମେରିକାରେ ଜନ୍ମିତ ପୋପ୍ ଲିଓ ତାଙ୍କ ୧୭ ମାସର କାର୍ଯ୍ୟକାଳ ମଧ୍ୟରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ କଥା କହିଛନ୍ତି। ରବିବାର ଦିନ, ସେ ସର୍ବସାଧାରଣରେ ତାଙ୍କର ଏକ ଛୋଟ ଫୁସଫୁସ ଟ୍ୟୁମର ହୋଇଥିବା ପ୍ରକାଶ କରିଥିଲେ ଏବଂ କହିଥିଲେ ଏହାକୁ ଅପସାରଣ କରାଯିବ ।ପୋପ ଲିଓ ଚତୁର୍ଦ୍ଦଶଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ଖବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ପୋପଙ୍କ ଶୀଘ୍ର ଓ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି। ମୋଦି ଲେଖିଛନ୍ତି ଯେ, ପୋପଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ଜାଣି ସେ ଆନନ୍ଦିତ ଏବଂ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।

You might also like