ଆଜି ପୂର୍ବାହ୍ନରେ ସର୍ବଦଳୀୟ ବୈଠକ, କାଲିଠୁ ବିଧାନସଭା ଶୀତ ଅଧିବେଶନ
ଭୁବନେଶ୍ୱର ( ରାଜ୍ୟକାହାଣୀ )ଆସନ୍ତା ୧୮ ତାରିଖରୁ ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ତେବେ ଅଧିବେଶନ ଆରମ୍ଭ ପୂର୍ବରୁ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ମଙ୍ଗଳବାର ଦିନ ସାଢ଼େ ୧୧ଟା ବେଳେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ଗୃହ ସୁରୁଖୁରୁରେ ପରିଚାଳନା ପାଇଁ ସଭିଙ୍କର ସହଯୋଗ ଲୋଡ଼ିବେ ।। ଅନ୍ୟପଟେ ଆଜି ବିରୋଧୀ-ଶାସକ ରଣନୀତି ମଧ୍ୟ ପ୍ରସ୍ତୁତ କରିବେ । ଶଙ୍ଖ ଭବନରେ ସନ୍ଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିବେ । କଂଗ୍ରେସର ମଧ୍ୟ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସୂଚନା ଦେଇଛନ୍ତି । ବୈଠକରେ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ନେଇ ଖସଡ଼ା ପ୍ରସ୍ତୁତ ହେବ ବୋଲି ଶ୍ରୀ କାଡ଼ାମ କହିଛନ୍ତି |ସନ୍ଧ୍ୟା ୬ଟାରେ ବିଧାନସଭା ୫୪ ନଂ ହଲରେ ଶାସକ ବିଜେପି ବିଧାୟକ ଦଳ ବୈଠକ ବସିବ। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ।
ମୋଟ ୪୪ ଦିନର ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିଛି। ନଭେମ୍ବର ୧୮ରେ ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବ୍ୟୟବରାଦ ଚିଠା ଆଗତ କରାଯିବ। ନଭେମ୍ବର ୨୫ରୁ ୨୭ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି ଉପରେ ଆଲୋଚନା ଓ ବିତର୍କ ହେବ। ନଭେମ୍ବର ୩୦ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟବରାଦ ସମ୍ପର୍କିତ ବିନିଯୋଗ ବିଲ୍ ଗୃହରେ ଉପସ୍ଥାପିତ ହେବ ।