ଦେଶରେ ବଢୁଛି କରୋନା ମାମଲା, ୨୪ ଘଣ୍ଟାରେ ୯ ମୃତ
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ ମୁତାବକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୪ ଶହ ପାର କରିଛି । ରାଜସ୍ଥାନରେ ଜଣେ ୭୦ ବର୍ଷୀୟା ଏବଂ କେରଳରେ ଜଣେ ୮୨ ବର୍ଷୀୟ ବୃଦ୍ଧ କୋଭିଡ୍ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ତେବେ ଗତ ୨୪ ଘଣ୍ଟାରେ ୯ ଜଣଙ୍କର ଜୀବନ ଯାଇଥିବା ଖବର ମିଳିଛି ।
ପଞ୍ଜାବରେ ଏଯାଏଁ ୨୯ କରୋନା ମାମଲା ଦେଖିବାକୁ ମିଳିଛି । ବଢୁଥିବା ମାମଲା ଦେଖି ପଞ୍ଜାବ ସରକାର ଆଡଭାଇଜରୀ ଜାରି କରିଛନ୍ତି । ଲୋକମାନଙ୍କୁ ଭିଡ଼ ଜାଗାକୁ ଯିବାକୁ ମନା କରାଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । କରୋନାକୁ ନେଇ ଲୋକମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛି । ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ନିରୀକ୍ଷା କରିବାକୁ କୁହାଯାଇଛି ।ଏହା ବ୍ୟତୀତ ଯଦି ରାଜ୍ୟମାନଙ୍କ କଥା କହିବା ତେବେ ସବୁଠାରୁ ଅଧିକ ସଂକ୍ରମିତ ଗୁଜରାଟରୁ ଚିହ୍ନଟ ହୋଇଛନ୍ତି । ଏବେ ଗୁଜରାଟରେ ଆକ୍ଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୧୪୩୭ ରହିଛି । ସେହିଭଳି ଦିଲ୍ଲୀରେ ୬୭୨, କେରଳରେ ୨୧୦୯, ମହାରାଷ୍ଟ୍ରରେ ୬୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।