୩୦ ସେପ୍ଟେମ୍ବରରେ ଓଡ଼ିଶା ବନ୍ଦ : ଅକ୍ଷୟ କୁମାର*
*ଭୁବନେଶ୍ବର( ରାଜ୍ୟ କାହାଣୀ)ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନ ତରଫରୁ ୩୭ ଦିନ ହେଲା ଲୋୟର ପିଏମଜିରେ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ବହି ବିଭ୍ରାଟ ସମ୍ବନ୍ଧରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ନୂତନ ବହି ପିଲାଙ୍କୁ ଫେରସ୍ତ ଦେବା ଦାବୀରେ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନ ଏବଂ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୬୭୮ଟି ଭୁଲ୍ ଥିବା ମୁଖ୍ୟମନ୍ତ୍ରୀ ସ୍ବୀକାର କରିବା ସତ୍ତ୍ବେ ଏବଂ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଓ ସତ୍ୟାଗ୍ରହ ୩୭ ଦିନରେ ପହଞ୍ଚିବା ପରେ ମଧ୍ୟ ସରକାର ଅନ୍ଧ, ମୁକ, ବଧିର ପରି ବସିରହିଛନ୍ତି। ଆଲୋଚନାର ସାମାନ୍ୟ ପ୍ରୟାସ ବି କରାଯାଇନାହିଁ। ଅତି ଶୀଘ୍ର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ, ଜନଆନ୍ଦୋଳନ ମାଧ୍ୟମରେ ସଡ଼କର ରାଜନୀତି ହିଁ ତାଙ୍କୁ ରାସ୍ତା ଦେଖାଇବ ବୋଲି ଶ୍ରୀ କୁମାର ଚେତାବନୀ ଦେଇଛନ୍ତି। କାଲ ବ୍ୟକ୍ତିଙ୍କୁ ଶୁଣେଇବା ପାଇଁ ଉଚ୍ଚ ଶଦ୍ଦର ଆବଶ୍ୟକତା ଅଛି- ଯାହା ଆଜମ୍ ସହୀଦ ଭଗତ ସିଂହ କହିଥିଲେ। ଯେଉଁ ବହି ବିଭ୍ରାଟ ଦ୍ବାରା ଏକ କୋଟିରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି, ସେଠାରେ ସରକାର ଚୁପ ବସିଲେ ଜନ୍ତରମନ୍ତର ଭଳି ପରିସ୍ଥିତ ସୃଷ୍ଟି କରିବୁ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ପ୍ରକାଶ କରିଥିଲେ। ବିଜେପି ସରକାର ଓଡ଼ିଆ ଅସ୍ମିତା ନାମରେ କ୍ଷମତାକୁ ଆସି ଓଡ଼ିଆମାନଙ୍କୁ ଧୋକା ଦେଇଛନ୍ତି। ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ସ୍ଥାନରେ ଇଂରାଜୀ ମାଧ୍ୟମ ହୋଇଥାନ୍ତା ତେବେ କେବେ ଠାରୁ ବହି ଛପା ହୋଇ ଦିଆସରନ୍ତାଣି। କାରଣ ସେଠାରେ ଆଇଏସ, ଆଇପିଏସ୍, ମନ୍ତ୍ରୀମାନଙ୍କ ପିଲାମାନେ ପାଠପଢ଼ନ୍ତି। ଓଡ଼ିଆ ବିଦ୍ୟାଳୟରେ ୮୦ ଭାଗ ଚାଷୀ, ମୂଲିଆ, ଶ୍ରମିକଙ୍କ ପିଲାମାନେ ପଢ଼ନ୍ତି। ସେଇଥିପାଇଁ ପରୀକ୍ଷା ମୁଣ୍ଡ ଉପରେ ହେଲେ ବି ସରକାରଙ୍କ ନିଘା ନାହିଁ ବୋଲି ଶ୍ରୀ ଅଲ୍ଲୀ ପ୍ରକାଶ କରିଥିଲେ। ଏହି ଆନ୍ଦୋଳନକୁ ଛାତ୍ର ଯୁବମାନଙ୍କ ସହିତ ଚାଷୀ, ମୂଲିଆ, ଶ୍ରମିକ, ମିଶିକରି ଲଢ଼ିବେ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହସଂଯୋଜକ ରଶ୍ମି ରଂଜନ ସ୍ବାଇଁ କହିଛନ୍ତି।ଆପଣଜାଣିଛନ୍ତି, ୬ ଦଫା ଦାବୀକୁ ନେଇ ଅଗଷ୍ଟ ୨୦ ତାରିଖରୁ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆରମ୍ଭ କରିଥିଲେ। ଏହା ପରେ ସେ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ୧୮ଦିନ ଅନଶନ କରି ସମାପ୍ତ କରିବା ପରେ ସେହି ସେପ୍ଟେମ୍ବର ୬ ତାରିଖରୁ ୨୦ ଦିନ ହେଲା ନବନିର୍ମାଣ କୃଷକ ସଂଗଠନ ଏବଂ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ସେହି ସତ୍ୟାଗ୍ରହ ସ୍ଥାନରେ ବସିରହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ, ସେ ପର୍ଯ୍ୟନ୍ତ ଶ୍ରୀ କୁମାର ତାଙ୍କ ଅନଶନ ଚାଲୁରଖିବେ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହା ଆମ ଛାତ୍ରଙ୍କ ଭବିଷ୍ୟତର କଥା। ଏହି ଅନଶନ ଓ ସତ୍ୟାଗ୍ରହକୁ ସମର୍ଥନ କରି ଆଗାମୀ ସେପ୍ଟେମ୍ବର ୩୦ ତାରିଖରେ ଉପରୋକ୍ତ ଦାବୀକୁ ନେଇ ଓଡ଼ିଶା ବନ୍ଦ ଅଭିଯାନରେ ସମସ୍ତ ସମସ୍ତ ଛାତ୍ରଛାତ୍ରୀ, ଯୁବକ, ଅଭିଭାବକ, ଚାଷୀ, ମୂଲିଆ, ମଜଦୁର ସମସ୍ତ ବିରୋଧି ରାଜନୈତିକ ଦଳ, ବୁଦ୍ଧିଜୀବୀ ଇତ୍ୟାଦିଙ୍କୁ ଅଂଶଗ୍ରହଣ କରିବା ପାଇଁ ନିବେଦନ କରୁଛୁ।ଆଜିର ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ସହିତ ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ, ନବନିର୍ମାଣ କୃଷକ ସଂଗଠନର ସହସଂଯୋଜକ ରଶ୍ମିରଂଜନ ସ୍ବାଇଁ, ଡା. କୁଳମଣୀ, ରାଜ୍ୟ ମହିଳା ଆବାହକ ମଧୁମିତା ସାମଲ, ଢେଙ୍କାନାଳ ପ୍ରଭାରୀ ଅଶ୍ବିନୀ ଜେନା, ଭୁବନେଶ୍ବର ଯୁବଛାତ୍ର ସଭାପତି ଅମିତି ଜେନା, ସ୍ମୃତି ରଂଜନ ସାମଲ, ଏମ.ଡ଼ି ମନଓ୍ବର, ବରିଷ୍ଠ କୃଷକ ନେତା ସୁରେନ୍ଦ୍ର ମହାରଣା, କେନ୍ଦ୍ରାପଡ଼ାର ଅକୃର ପଲାଇ, ଗଞ୍ଜାମ ଛାତ୍ର ନେତା ଗଣେଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।