ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ଅଧିକ୍ଷକ ସୁଜିତ ରାଉଳଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ଵର (ରାଜ୍ୟ କାହାଣୀ )ଚୌଦ୍ୱାର ସର୍କଲ୍ ଜେଲ୍ର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ନିୟମିତ ଜାମିନ ଆବେଦନକୁ କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରି ଦେଇଛନ୍ତି ।ଜେଏମଏଫସି ଅଦାଲତରେ ଜାମିନ ଖାରଜ ହେବା ପରେ ସେ ନିୟମିତ ଜାମିନ ଲୋଡ଼ି ଦୌରା ଅଦାଲତରେ ଆବେଦନ କରିଥିଲେ।ପୂର୍ବରୁ ସୁଜିତ ରାଉଳଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଥିଲେ ହାଇକୋର୍ଟ । ଚୌଦ୍ୱାର ସର୍କଲ ଜେଲ୍ର ମିନିଟ ବୁକ ରେକର୍ଡରେ ଜାଲିଆତି ଓ ହେରଫେର ଅଭିଯୋଗରେ ଗିରଫ ହୋଇଥିବା ତତ୍କାଳୀନ ସିନିୟର ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କ ଜାମିନ ଆବେଦନ ଖାରଜ ହୋଇଛି।ଜାମିନ ଆବେଦନର ଶୁଣାଣି ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସୁଜିତ ରାଉଳ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଥିବାବେଳେ ଅଭିଯୋଗକାରୀ ଜେଲର୍ ତାଙ୍କ ଅଧୀନସ୍ଥ ଅଧିକାରୀ । ତଦନ୍ତ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ସେ ପ୍ରମାଣ ନଷ୍ଟ କରିବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ଥିବା ଦର୍ଶାଇ ଜାମିନକୁ ବିରୋଧ କରାଯାଇଥିଲା । ଏହି ଯୁକ୍ତିକୁ ବିଚାରକୁ ନେଇ ଅଦାଲତ ଜାମିନ ଦେବାକୁ ମନା କରି ଦେଇଛନ୍ତି ।ଅଭିଯୋଗ ଅନୁଯାୟୀ, ଗତବର୍ଷ ୨ ଅକ୍ଟୋବର ୨୦୨୫ରେ ଚୌଦ୍ୱାର ଜେଲ୍ରୁ ଦୁଇ ବିହାରୀ ବିଚାରାଧୀନ କଏଦୀ ଫେରାର ହୋଇଥିଲେ। ଏହା ପରେ ଦାୟିତ୍ୱ ଏଡ଼ାଇବା ଉଦ୍ଦେଶ୍ୟରେ ଜେଲ୍ର ଗେଟ୍ ଇନ୍-ଆଉଟ୍ ରେଜିଷ୍ଟର, ସୁପରିଣ୍ଟେଣ୍ଡେଣ୍ଟଙ୍କ ମିନିଟ୍ ବୁକ୍ ଓ ଅନ୍ୟାନ୍ୟ ରେକର୍ଡରେ ହେରଫେର କରାଯାଇଥିବା ଅଭିଯୋଗ ରହିଥିଲା। ଏପରିକି ତତ୍କାଳୀନ ଜେଲରଙ୍କ ଦସ୍ତଖତ ଜାଲ କରାଯାଇଥିବା ମଧ୍ୟ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ସମୟରେ ଅଭିଯୁକ୍ତଙ୍କ ସଂପୃକ୍ତି ମିଳିଥିବା ଦର୍ଶାଇ ପୁଲିସ ତାଙ୍କୁ ୨୧ ସେପ୍ଟେମ୍ବର ଗିରଫ କରି କୋର୍ଟ ଚାଲାଣ କରିଥିଲା।