CBSE ବୋର୍ଡର ବଡ଼ ନିଷ୍ପତ୍ତି, ଦଶମ ପାସ୍ ସାର୍ଟିଫିକେଟ୍ ପାଇଁ ତୃତୀୟ ଭାଷାରେ ପାସ୍ ହେବା ବାଧ୍ୟତାମୂଳକ

ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ସମ୍ପର୍କରେ ନୂଆ ନିୟମ ଜାରି କରିଛି । ୨୦୨୭-୨୮ ଶିକ୍ଷାବର୍ଷରୁ ଦଶମ ପାସ୍ ସାର୍ଟିଫିକେଟ୍ ପାଇବା ପାଇଁ ତୃତୀୟ ଭାଷାର ସ୍କୁଲ୍-ଆଧାରିତ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପାସ୍ କରିବା ବାଧ୍ୟତାମୂଳକ ହେବ । ବୋର୍ଡ ପକ୍ଷରୁ ଜାରି ସର୍କୁଲାର ଅନୁଯାୟୀ, ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ୯ମ ଏବଂ ୨୭-୨୮ ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀରେ ଏହି ନୂଆ ନିୟମ ଲାଗୁ ହେବ।

ସିବିଏସ୍ଇ ସ୍ପଷ୍ଟ କରିଛି ଯେ, ତୃତୀୟ ଭାଷା ବିଷୟଟି ୧୦ମ ଶ୍ରେଣୀର ମୂଳ ବୋର୍ଡ ପରୀକ୍ଷାର ଅଂଶ ହେବ ନାହିଁ। ତଥାପି, ମାଧ୍ୟମିକ ସ୍କୁଲ ପରୀକ୍ଷା ପାସ୍ ପ୍ରମାଣପତ୍ର ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ସ୍ତରରେ ହେବାକୁ ଥିବା Internal Assessmentରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ।ଯଦି କୌଣସି ଛାତ୍ର ବୋର୍ଡ ଫଳାଫଳ ପୂର୍ବରୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ବିଫଳ ହୁଅନ୍ତି, ତେବେ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ପୁନଃମୂଲ୍ୟାୟନ କରିବାକୁ ପଡ଼ିବ। ତେବେ ପୁନଃମୂଲ୍ୟାୟନରେ ବି ଫେଲ୍ ହେଲେ ଫଳାଫଳ ସ୍ଥଗିତ ରହିବ କି ନାହିଁ, ସେ ନେଇ ବୋର୍ଡ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନିଆଯାଇଛି । ସିବିଏସଇ ନିୟମ ଅନୁସାରେ, ତିନୋଟି ଭାଷା ମଧ୍ୟରୁ ଅତି କମରେ ଦୁଇଟି ଭାରତୀୟ ଭାଷା ହେବା ଆବଶ୍ୟକ ।

You might also like