ଧନ୍ଵନ୍ତରୀ କିଏ ଏବଂ ଧନତେରସରେ କାହିଁକି ତାଙ୍କୁ ପୂଜା କରାଯାଏ?
ଭୁବନେଶ୍ଵର (ରାଜ୍ୟ କାହାଣୀ ) ଦୀପାବଳି ହେଉଛି ଏକ ପାଞ୍ଚ ଦିନିଆ ପର୍ବ, ଯାହା ଧନତେରସ ଦିନରୁ ଆରମ୍ଭ ହୋଇଥାଏ । ଧନତେରସକୁ ଧନତ୍ରୟୋଦଶୀ ମଧ୍ୟ କୁହାଯାଏ । ଧନତେରସ ଦିନ ମା ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ପୂଜା କରାଯାଏ । ଏତଦ୍ ବ୍ୟତୀତ, ଏହି ଦିନ ଧନ୍ଵନ୍ତରୀଙ୍କର ପୂଜା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଧନତେରସ ପାଳନ ପଛରେ ଅନେକ ପୌରାଣିକ କାହାଣୀ ରହିଛି । ସେଥିରୁ ସମୁଦ୍ର ମନ୍ଥନ ସହ ଜଡ଼ିତ ଏକ କାହଣୀ ବିଷୟରେ ପୁରାଣରେ ବର୍ଣ୍ଣନା କରାଯାଇଛି । ପୁରାଣ ଅନୁଯାୟୀ, ଅମୃତ ପ୍ରାପ୍ତି ଆଶାରେ ଦେବତା ଓ ଅସୁରମାନେ କ୍ଷୀର ସାଗର ମନ୍ଥନ କରିଥିଲେ। ଏହି ସମୟରେ ହାତରେ ଅମୃତ କଳସ ଧରି ଭଗବାନ ଧନ୍ୱନ୍ତରୀ ଆବିର୍ଭାବ ହୋଇଥିଲେ। ଧନ୍ୱନ୍ତରୀଙ୍କୁ ଦେବତାଙ୍କ ବୈଦ୍ୟ ଓ ଆୟୁର୍ବେଦର ଅଧିଷ୍ଠାତା ଦେବତା ଭାବେ ପୂଜା କରାଯାଏ । ଏଥିଲାଗି ଧନତେରସକୁ ‘ଧନ୍ବନ୍ତରୀ ତ୍ରୟୋଦଶୀ’ ବୋଲି ମଧ୍ୟ କୁହାଯାଏ ।ଦୀପାବଳି ଅବସରରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଉଥିବାରୁ ତାଙ୍କ ଆଗମନ ପୂର୍ବରୁ ଘରକୁ ସଫାସୁତୁରା କରି ସୁନ୍ଦର ଭାବେ ସଜାଯାଇଥାଏ। ମା’ଙ୍କ ସ୍ୱାଗତ ଓ ତାଙ୍କ କୃପାଲାଭ ପାଇଁ ଧନତେରସଠାରୁ ହିଁ ବିଭିନ୍ନ ପୂଜାର୍ଚ୍ଚନା କରାଯିବା ସହ ଗୃହକୁ ପବିତ୍ର ଓ ମଙ୍ଗଳମୟ କରିବାର ପରମ୍ପରା ରହିଛି।