ଜଟିଳ ଅସ୍ତ୍ରୋପଚାର ଓ ଚିକିତ୍ସା ମାଧ୍ୟମରେ ନବଜାତ ଶିଶୁକନ୍ୟାକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

ଭୁବନେଶ୍ୱର, ରାଜ୍ୟ କାହାଣୀ: ଡାକ୍ତରମାନଙ୍କ ନି ।, ଚିକିତ୍ସା ଦକ୍ଷତା ଓ ସମନ୍ୱିତ ପ୍ରୟାସ ଯୋଗୁଁ ଜଟିଳ ଜନ୍ମଗତ ଫୁସଫୁସ ରୋଗରେ ପୀଡ଼ିତ ଏକ ଅପରିପକ୍ୱ ନବଜାତ ଶିଶୁକନ୍ୟାକୁ ନୂଆ ଜୀବନ ଦେବାରେ ସଫଳ ହୋଇଛନ୍ତି ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରୀ ଟିମ୍ ।

ମାତ୍ର ୧୪୭୬ ଗ୍ରାମ୍ ଓଜନର ଏହି ଶିଶୁକନ୍ୟାଟି ଗର୍ଭଧାରଣର ୩୪ ସପ୍ତାହରେ ଜରୁରୀକାଳୀନ ସିଜରିଆନ୍ ଅସ୍ତ୍ରୋପଚାର ମାଧ୍ୟମରେ ଜନ୍ମ ନେଇଥିଲା । ଜନ୍ମ ପରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ତୁରନ୍ତ ଇନ୍ଟ୍ୟୁବେସନ୍ କରାଯାଇ କୃତ୍ରିମ ଶ୍ୱାସକ୍ରିୟା ଯନ୍ତ୍ର ସହାୟତାରେ ଚିକିତ୍ସା କରାଯାଇଥିଲା ।ଗର୍ଭାବସ୍ଥାର ୨୦ ସପ୍ତାହରେ କରାଯାଇଥିବା ଅଲ୍ଟ୍ରାସାଉଣ୍ଡ୍ ପରୀକ୍ଷାରୁ ଶିଶୁଟିର ବାମ ଫୁସଫୁସରେ କଂଜେନିଟାଲ୍ ପଲମୋନାରୀ ଏୟାରୱେ ମାଲଫର୍ମେସନ୍ (ସିପିଏଏମ୍) ନାମକ ଏକ ଜନ୍ମଗତ ତ୍ରୁଟି ଥିବା ଜଣାପଡ଼ିଥିଲା । ଏଥିସହ ଫୁସଫୁସରେ ଏକ ଅସ୍ୱାଭାବିକ ଘନ ଅଂଶ ଏବଂ ହୃତ୍‌ପିଣ୍ଡ ଡାହାଣ ପଟକୁ ଘୁଂଚି ରହିଥିବା ମଧ୍ୟ ଦେଖାଯାଇଥିଲା ।ଜନ୍ମ ପରେ ଶିଶୁଟିର ଶ୍ୱାସକ୍ରିୟାରେ ଗୁରୁତର ସମସ୍ୟା ଦେଖାଦେବାରୁ ତାକୁ ହାଇ ଫ୍ରିକ୍ୱେନ୍ସି ଅସିଲେସନ୍ (ଏଚ୍ଏଫ୍ଓ) ଭେନ୍ଟିଲେସନ୍‌ରେ ରଖାଯାଇଥିଲା । ଛାତିର ସିଟି ସ୍କାନ୍ (ସିଇସିଟି)ରୁ ବାମ ଫୁସଫୁସରେ ବ୍ୟାପକ ସିପିଏଏମ୍ ସହ ଡାହାଣ ପଟ ଫୁସଫୁସରେ ନିମୋଥୋରାକ୍ସ ଥିବା ଜଣାପଡ଼ିଥିଲା । ଶିଶୁ ହୃଦ୍‌ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଏବଂ ୨-ଡି ଇକୋକାର୍ଡିଓଗ୍ରାମ୍ ପରୀକ୍ଷାରୁ ଫୁସଫୁସର ରକ୍ତଚାପ ବୃଦ୍ଧି ବା ପଲମୋନାରୀ  ହାଇପରଟେନସନ୍ ମଧ୍ୟ ଜଣାପଡ଼ିଥିଲା ।

ଶିଶୁଟିର ଜୀବନ ରକ୍ଷା ନିମନ୍ତେ ଜନ୍ମର ୧୫ ଦିନରେ ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ପକ୍ଷରୁ ବାମ ପାର୍ଶ୍ୱର ଫୁସଫୁସ ଅପସାରଣ ଅସ୍ତ୍ରୋପଚାର (ଲେଫ୍ଟ ପ୍ନୁମୋନେକ୍ଟୋମି) କରାଯାଇଥିଲା । ଏହି ଅସ୍ତ୍ରୋପଚାରରେ ବାମ ଫୁସଫୁସର ଉପର ଓ ତଳ ଦୁଇଟି ଲୋବ୍‌କୁ ବାହାର କରାଯାଇଥିଲା ।ଅସ୍ତ୍ରୋପଚାର ପରବର୍ତୀ ସମୟ ମଧ୍ୟ ଚିକିତ୍ସକମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ ଥିଲା । ଶିଶୁଟି ପଲମୋନାରୀ ହାଇପରଟେନସନ୍, ସଂକ୍ରମଣ ଓ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାରେ ଜଟିଳତାର ସମ୍ମୁଖୀନ ହୋଇଥିଲା । ଏଥିପାଇଁ ଏକାଧିକ ଥର ରକ୍ତର ବିଭିନ୍ନ ଉପାଦାନ ଦେବାକୁ ପଡ଼ିଥିଲା । ଶିରା ମାଧ୍ୟମରେ ତରଳ ପଦାର୍ଥ ଓ ପାରେଂଟେରାଲ୍ ନ୍ୟୁଟ୍ରିସନ୍ ଦିଆଯିବା ସହ ଶ୍ୱାସକ୍ରିୟା ଉପରେ ନିରନ୍ତର ନଜର ରଖାଯାଇଥିଲା ।ଡାକ୍ତରମାନଙ୍କ ନିରନ୍ତର ଉଦ୍ୟମ ଓ ଉପଯୁକ୍ତ ଚିକିତ୍ସା ଫଳରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଆସିଥିଲା । ଜନ୍ମର ୨୪ତମ ଦିନରେ ଶିଶୁଟିକୁ ଭେଂଟିଲେଟରରୁ ବାହାର କରାଯାଇଥିଲା ଏବଂ ୫୦ ଦିନ ବେଳକୁ ବିନା ଅକ୍ସିଜେନ୍‌ରେ ସ୍ୱାଭାବିକ ଭାବେ ଶ୍ୱାସକ୍ରିୟା କରିବାରେ ସକ୍ଷମ ହୋଇଥିଲା ।ଏହାର ଏକ ସପ୍ତାହ ପରେ ଶିଶୁଟିକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ସେତେବେଳକୁ ଶିଶୁଟି ମାଆଙ୍କ କ୍ଷୀର ଓ ବୋତଲ ମାଧ୍ୟମରେ ଦିଆଯାଉଥିବା ସଂଗୃହୀତ ମାଆ କ୍ଷୀର ଗ୍ରହଣ କରୁଥିବା ସହ ଉପଯୁକ୍ତ ଭାବେ ଓଜନ ବୃଦ୍ଧି କରୁଥିଲା । ତା’ର ସ୍ନାୟୁଗତ ବିକାଶ ସ୍ୱାଭାବିକ ଥିବା ସହ ବିନା ଅକ୍ସିଜେନ୍‌ରେ ରକ୍ତରେ ଅମ୍ଳଜାନର ସ୍ତର ସ୍ୱାଭାବିକ ରହିଥିଲା ଏବଂ ଶ୍ୱାସକ୍ରିୟାରେ କୌଣସି କଷ୍ଟ ନଥିଲା ।ଶିଶୁ ଶଲ୍ୟ ଚିକିତ୍ସା ବିଭାଗର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ନେତୃତ୍ୱରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା । ନିଓନାଟୋଲୋଜି, ଶିଶୁ ଶଲ୍ୟ ଚିକିତ୍ସା ଓ ଆନାସ୍ଥେସିଆ ବିଭାଗର ଡାକ୍ତରମାନଙ୍କ ସମନ୍ୱିତ ପ୍ରୟାସ ଏହି ଶିଶୁର ଜୀବନ ରକ୍ଷା କରିବାରେ ମୁଖ୍ୟ ଭୂମିକା ନେଇଥିଲା ।ନିଓନାଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ନନ୍ଦ ଏହି ସଫଳତାରେ ଆନନ୍ଦ ପ୍ରକାଶ କରିବା ସହ ସମଗ୍ର ଚିକିତ୍ସକ ଦଳକୁ ଅଭିନନ୍ଦନ ଜଣାଇଥିଲେ ।ଏହି ଚିକିତ୍ସା ଦଳରେ ଡାକ୍ତର ରତନ କୁମାର ଦାସ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ଭାବଗ୍ରାହୀ ମଲ୍ଲିକ, ଡାକ୍ତର ବିନୀତ ପାଣିଗ୍ରାହୀ, ଡାକ୍ତର ଶ୍ରୁତିପ୍ରଜ୍ଞା କର, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ସୀତାକାନ୍ତ ନାୟକ, ଡାକ୍ତର ସୁଦୀପ୍ତ ସାହୁ, ଡାକ୍ତର ସାରଥ ଚନ୍ଦ୍ରିକା, ଡାକ୍ତର କଳ୍ପିତା ସାହୁ, ଡାକ୍ତର ଅଦ୍ୟାଶା କାନୁନଗୋ, ଡାକ୍ତର ଶୁଭଲକ୍ଷ୍ମୀ ସାହୁ ଏବଂ ଡାକ୍ତର ପୁଜିତା ସାମିଲ ଥିଲେ ।

You might also like