ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକରେ ବଢ଼ିଲା ୩୧୮ଟି ପିଜି ମେଡିକାଲ : ମାନ୍ୟବର ସ୍ଵାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, ରାଜ୍ୟ କାହାଣୀ: ଓଡ଼ିଶାର ସରକାରୀ ମେଡିକାଲ କଲେଜ ଓ ପିଜି ମେଡିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର (ପିଜି) ମେଡିକାଲ ଶିକ୍ଷାର ଆହୁରି ସମ୍ପ୍ରସାରିତ ହେବା ଦିଗରେ ଗତି ମିଳିଛି । ଜାତୀୟ ମେଡିକାଲ କମିଶନ (NMC) ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ପିଜି ଅନୁଷ୍ଠାନରେ ୧୪ଟି ବିଭାଗରେ ୩୧୮ଟି ପିଜି ସିଟ୍ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ରାଜ୍ୟରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି ।
ପୂର୍ବରୁ ରାଜ୍ୟର କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ,ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭୀମସାର, ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଏବଂ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସମେତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ପିଜି ମେଡିକାଲ ଶିକ୍ଷା ପ୍ରଦାନ କରାଯାଉଥିଲା ।
ଆଜି ଜାତୀୟ ମେଡିକାଲ କମିଶନଙ୍କ ଅନୁମୋଦନ କ୍ରମେ ରାଜ୍ୟର ନୂତନ ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିମଧ୍ୟରେ କେନ୍ଦୁଝରର ଧରଣୀଧର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୧୦ଟି ବିଭାଗରେ ୪୪ଟି, ସୁନ୍ଦରଗଡର ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୨ଟି, କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୯ଟି ବିଭାଗରେ ୨୮ଟି, ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୧୦ଟି ବିଭାଗରେ ୩୨ଟି ଏବଂ ଫୁଲବାଣୀର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୭ଟି ପିଜି ସିଟ୍ ଅନୁମୋଦନ ମିଳିଛି । ସେହିପରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ସିଟ୍ ସଂଖ୍ୟା ୨୦ରୁ ବୃଦ୍ଧି ପାଇ ୫୩ ହୋଇଛି। ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ସିଟ୍ ସଂଖ୍ୟା ୧୦ରୁ ବୃଦ୍ଧି ପାଇ ୫୪ ହୋଇଛି | ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ସିଟ୍ ସଂଖ୍ୟା ୮ରୁ ବୃଦ୍ଧି ପାଇ ୫୪ ହୋଇଛି।
ଏହା ସହ ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ୧୧ଟି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୭ଟି, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୩ଟି ଏବଂ ଭୀମସାର, ବୁର୍ଲାରେ ୧୧ଟି ପିଜି ସିଟ୍ ବୃଦ୍ଧି କରାଯାଇଛି ।
ଏହି ଅତିରିକ୍ତ ସିଟ୍ଗୁଡ଼ିକ ଆନାଟୋମି, ଆନାସ୍ଥେସିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ୍, ଇଏନଟି , ଜେନେରାଲ ମେଡିସିନ୍, ଜେନେରାଲ ସର୍ଜରୀ, ମାଇକ୍ରୋବାୟୋଲୋଜି, ପ୍ରସୂତି ଓ ସ୍ତ୍ରୀରୋଗ, ଅର୍ଥୋପେଡିକ୍ସ, ପେଡିଆଟ୍ରିକ୍ସ, ପାଥୋଲୋଜି, ସାଇକିଆଟ୍ରି ଏବଂ ରେସ୍ପିରେଟୋରି ମେଡିସିନ୍ ଆଦି ୧୪ଟି ବିଭାଗରେ ଉପଲବ୍ଧ ହେବ।
ଏହି ଅବସରରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, “ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଯୋଗୁଁ ଓଡ଼ିଶାର ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ସେହିପରି ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ଏନଏମସି କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ,”ପିଜି ସିଟ୍ ସଂଖ୍ୟା ୬୨୦ରୁ ୯୩୮କୁ ବୃଦ୍ଧି ପାଇବା କେବଳ ମେଡିକାଲ ଶିକ୍ଷାର ସମ୍ପ୍ରସାରଣ ନୁହେଁ, ବରଂ ରାଜ୍ୟରେ ଅଧିକ ସଂଖ୍ୟକ ଦକ୍ଷ ଓ ବିଶେଷଜ୍ଞ ଡାକ୍ତର ସୃଷ୍ଟି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ । ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ତାଳଚେର ଓ ଫୁଲବାଣୀ ଭଳି ଅଞ୍ଚଳରେ ପ୍ରଥମ ଥର ପାଇଁ ପିଜି ଶିକ୍ଷାର ସୁଯୋଗ ସୃଷ୍ଟି ହେବା ଆଞ୍ଚଳିକ ସମାନତା ଓ ସ୍ୱାସ୍ଥ୍ୟସେବାର ବିକେନ୍ଦ୍ରୀକରଣକୁ ସୁଦୃଢ଼ କରିବ । ଏହାଦ୍ୱାରା ଭବିଷ୍ୟତରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଗୁଣାତ୍ମକ ଓ ବିଶେଷଜ୍ଞ ସ୍ୱାସ୍ଥ୍ୟଶିକ୍ଷା ଓ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ସହଜ ହେବ ।”
ଏହା ଦ୍ଵାରା ରାଜ୍ୟର ମେଡିକାଲ ଶିକ୍ଷାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚତର ଶିକ୍ଷା ଓ ଗବେଷଣାର ନୂତନ ସୁଯୋଗ ସୃଷ୍ଟି କରିବ । ଏଥିସହ ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି ପାଇବା ସହ ସାଧାରଣ ଜନତାଙ୍କୁ ନିଜ ଅଞ୍ଚଳରେ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।