୭ ବିଧାୟକ ଗୋଟିଏ ବି ପ୍ରକଳ୍ପ ପ୍ରସ୍ତାବ ଦେଇନାହାଁନ୍ତି
ଭୁବନେଶ୍ଵର , ରାଜ୍ୟ କାହାଣୀ : ବିଧାୟକ ପାଣ୍ଠି ଯୋଜନା ବିଫଳତା ନେଇ ପ୍ରଶ୍ନ ଉଠିଛି । ଏପରିକି ଚଳିତ ଆର୍ଥିକ ୨୦୨୬-୨୭ବର୍ଷ ଶେଷ ହେବାକୁ ବସିଲାଣି ଅଥଚ ଅନୁଦାନ ଯୋଗାଇ ଦିଆଯାଇନାହିଁ, ଯାହାକୁ ନେଇ ବିଧାୟକ ପାଣ୍ଠି ଅଚଳାବସ୍ଥା ସମ୍ପର୍କରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରିଥିବା ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ଉତ୍ତରରେ ଚିନ୍ତାଜନକ ସ୍ଥିତି ଲୋକଲୋଚନକୁ ଆସିଛି ।
ଗତବର୍ଷ ୭ଜଣ ବିଧାୟକ ଗୋଟିଏ ପ୍ରକଳ୍ପ ମଧ୍ୟ ବିଧାୟକ ପାଣ୍ଠିରୁ ପ୍ରଦାନ କରିନାହାଁନ୍ତି । ବିଧାୟକ ପାଣ୍ଠି ବ୍ୟବସ୍ଥା ଦିନକୁ ଦିନ ଗୁରୁିବ ହରାଉଛି ବୋଲି ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ବିଧାୟକମାନଙ୍କୁ ଆଜି ପର୍ଯ୍ୟନ୍ତ ବିଧାୟକ ପାଣ୍ଠି ପ୍ରଦାନ କରାଯାଇନାହିଁ । ଏ ସମ୍ପର୍କରେ କଣ ସମସ୍ୟା ରହିଛି, କେବେ ପ୍ରଦାନ କରାଯିବ ଏବଂ ଗତ ୨ବର୍ଷରେ ବିଧାୟକ ପାଣ୍ଠିର ବିିନିଯୋଗ ଉପରେ ବିଧାୟକ ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି । ଏପରିକି ବିଧାୟକମାନେ ପ୍ରଦାନ କରୁଥିବା ପ୍ରକଳ୍ପ ଅନୁମୋଦନରେ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଅବହେଳା ଉପରେ ବିଧାୟକ ଶ୍ରୀ ସ୍ୱାଇଁ ପ୍ରଶ୍ନ ଉଠାଇଛନ୍ତି ।
ଏହା ଉତ୍ତରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ବିଧାୟକମାନଙ୍କୁ ନିଜ ନିଜ ପାଣ୍ଠି ବ୍ୟୟ କରିବାରେ ସମୟସୀମା ଧାର୍ଯ୍ୟ କରାଯାଇନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦେଇଥିବା ତଥ୍ୟ ଅନୁଯାୟୀ ୨୦୨୫-୨୬ ମସିହାରେ ୭ଜଣ ବିଧାୟକ ଦିଗପହଣ୍ଡି, ସାନଖେମୁଣ୍ଡି, ବରୀ, ବେଗୁନିଆ, ଜୟଦେବ, ନୟାଗଡ଼ ପ୍ରଭୃତି ନିର୍ବାଚନ ମଣ୍ଡଳୀର ବିଧାୟକମାନେ କେଣସି ପ୍ରକଳ୍ପ ଅନୁମୋଦନ କରିନାହାଁନ୍ତି । ଏହି ବର୍ଷରେ ମୋଟ ୭୩୧କୋଟି ୩୨ଲକ୍ଷ ୫୦ହଜାର ଟଙ୍କା ଅନୁଦାନ ମଧ୍ୟରୁ ମାତ୍ର ୭୭କୋଟି ୨୨ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ବେଳେ ୬୫୪କୋଟି ୯ଲକ୍ଷ ୫୮ହଜାର ଟଙ୍କା ପ୍ରକଳ୍ପ ବ୍ୟୟ ଅନୁମୋଦନ କରାଯାଇନାହିଁ ।
ସେହିପରି ପୂର୍ବବର୍ଷ ୨୦୨୪-୨୫ରେ ଅନ୍ୟ ବିଧାୟକମାନେ ପ୍ରକଳ୍ପ ଗୁଡ଼ିକ ଅନୁମୋଦନ କରିଥିବା ବେଳେ ଦଶପଲ୍ଲା ବିଧାୟକ ସର୍ବନିମ୍ନ ୨ଲକ୍ଷ ଟଙ୍କାର ମାତ୍ର ଗୋଟିଏ ପ୍ରକଳ୍ପ ପ୍ରଦାନ କରିଥିଲେ । ଏହି ବର୍ଷ ମୋଟ ବିଧାୟକ ପାଣ୍ଠି ବାବଦରେ ୪୪୧କୋଟି ଟଙ୍କା ଅନୁଦାନ ମଧ୍ୟରୁ ୧୯୮କୋଟି ୯ଲକ୍ଷ ୨୪ହଜାର ଟଙ୍କା ପ୍ରକଳ୍ପ ଅନୁମୋଦନ ଲାଭ କରିଛି । ଅବଶିଷ୍ଟ ୨୪୨କୋଟି ୯୦ଲକ୍ଷ ୭୬ହଜାର ଟଙ୍କା ପ୍ରକଳ୍ପ ଅର୍ଥ ମଞ୍ଜୁର କରାଯାଇ ନାହିଁ । ଗତ ୨ବର୍ଷ ବିଧାୟକ ପାଣ୍ଠି ବ୍ୟୟ ହୋଇନପାରିବା ବେଳେ ଚଳିତ ବର୍ଷ ଅନୁଦାନ ଯୋଗାଣ ନକରିବା ଘଟଣା ବିଧାୟକ ପାଣ୍ଠି ଯୋଜନାର ଗୁରୁତ୍ୱକୁ ହ ୍ରାସ କରିବାରେ ଲାଗିଛି ।