ପୂର୍ବାଂଚଳ ଆଂଚଳିକ କୃଷି ମେଳା-୨୦୨୬ରେ ସୋଆକୁ ଶ୍ରେଷ୍ଠ ପ୍ରଦର୍ଶନୀ ପୁରସ୍କାର

ଭୁବନେଶ୍ୱର , ରାଜ୍ୟ କାହାଣୀ: ପୂର୍ବାଂଚଳ ଆଂଚଳିକ କୃଷି ମେଳା-୨୦୨୬ରେ ଶ୍ରେଷ୍ଠ ପ୍ରଦର୍ଶନୀ (ବେଷ୍ଟ ଏଗ୍‌ଜିବିଟର) ପୁରସ୍କାର ହାସଲ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୌରବ ଅର୍ଜନ କରିଛି । ଆଇସିଏଆର-କେନ୍ଦ୍ରୀୟ ମହିଳା କୃଷି ସଂସ୍ଥାନ (ଆଇସିଏଆର୍‌-ସିଆଇଡବ୍ଲୁଏ) ପରିସରରେ ଆୟୋଜିତ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂସ୍ଥାର ୧୨୩ଟି ଷ୍ଟଲ୍ ମଧ୍ୟରେ ସୋଆ ଏହି ସମ୍ମାନ ହାସଲ କରିଛି ।ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ପକ୍ଷରୁ ଆୟୋଜିତ ଏହି ଷ୍ଟଲ୍‌ଟି ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସରେ ଆୟୋଜନ କରାଯାଇଥିଲା । ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡକ୍ଟର ମନମୋହନ ମିଶ୍ର, ପ୍ରଫେସର ଡକ୍ଟର ଦେବାଶିଷ ହୋତ. ଆସୋସିଏଟ୍ ପ୍ରଫେସର ଡକ୍ଟର ସତ୍ୟନାରାୟଣ ଶତପଥୀ ଓ ଡକ୍ଟର ରାଜୀବ କୁମାର ବେହେରା ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ସାମିଲ ହୋଇ ଷ୍ଟଲର ପରିଚାଳନା ଓ ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇଥିଲେ ।ଷ୍ଟଲରେ ସୋଆର ବିଭିନ୍ନ ଅଭିନବ କୃଷି ଜ୍ଞାନକୌଶଳ, ଗବେଷଣାଲବ୍ଧ ଉପଲବ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଉଦ୍ୟୋଗମୂଳକ ଶିକ୍ଷା କାର୍ଯ୍ୟକ୍ରମ (ଏକ୍ସପେରିଏନ୍‌ସିଆଲ୍ ଲର୍ଣ୍ଣିଂ ପ୍ରୋଗ୍ରମ୍‌-ଇଏଲ୍‌ପି) ଅନ୍ତର୍ଗତ ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଦ୍ରବ୍ୟ, ପାଳ ଛତୁର ମଞ୍ଜି, ଛତୁଆ, ସୁପ୍ ପାଉଡର, ଆଚାର, ବିଭିନ୍ନ ଫଳ ମିଶ୍ରିତ ଜାମ୍‌, ପଂଚଗବ୍ୟ ଆଦି ବିଭିନ୍ନ ଜୈବିକ ସାର, ବିଭିନ୍ନ ମଞ୍ଜିରେ ତିଆରି ଘର ସଜା ଜିନିଷ ଆଦି ପ୍ରଦର୍ଶିତ କରାଯାଇଥିଲା ।ଷ୍ଟଲର ଅନ୍ୟତମ ଆକର୍ଷଣ ଥିଲା କୃଷକମାନଙ୍କ ପାଇଁ ଆୟୋଜିତ ବ୍ୟବହାରିକ ତାଲିମ କାର୍ଯ୍ୟକ୍ରମ । ବହୁ ସଂଖ୍ୟାରେ କୃଷକ ଷ୍ଟଲ୍ ପରିଦର୍ଶନ କରି ଛତୁ ଚାଷ, ମାଇକ୍ରୋଗ୍ରୀନ୍‌ସ ଉତ୍ପାଦନ ଏବଂ ଜୈବିକ କୃଷି ପଦ୍ଧତି ସଂପର୍କରେ ତାଲିମ ଗ୍ରହଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଏହି ପଦ୍ଧତିଗୁଡ଼ିକର ବୈଜ୍ଞାନିକ ଦିଗ ଓ ବ୍ୟବହାରିକ ପ୍ରୟୋଗ ସଂପର୍କରେ ସେମାନଙ୍କୁ ଅବଗତ କରାଇଥିଲେ ।କୃଷି ଶିକ୍ଷା, ଗବେଷଣା, ନବସୃଜନ ଏବଂ କୃଷକମାନଙ୍କ ଦକ୍ଷତା ବିକାଶ ଦିଗରେ ସୋଆର ନିରନ୍ତର ପ୍ରୟାସର ଏହି ସଫଳତା ଏକ ପ୍ରତିଫଳନ । ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସମନ୍ୱିତ ଉଦ୍ୟମ ଏବଂ କୃଷକମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ ଏହି ସଫଳତାକୁ ଅଧିକ ଅର୍ଥପୂର୍ଣ୍ଣ କରିଛି । ଏଥିପାଇଁ ବିଶ୍ୱବିଦ୍ୟାଳୟର କର୍ତୃପକ୍ଷ, କୃଷି ବିଜ୍ଞାନ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି ।

You might also like