ସାମନ୍ଥାଙ୍କ ଘରକୁ ଆସିଲା ନୂଆ ଅତିଥି, ସେୟାର କଲେ ପୁଅର ପ୍ରଥମ ଝଲକ
ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଘରକୁ ଆସିଛି ନୂଆ ଅତିଥି । ମା’ ହୋଇଛନ୍ତି ସାମନ୍ଥା । ସ୍ୱାମୀ ରାଜ ନିଦିମୋରୁଙ୍କ ସହ ତାଙ୍କ ପରିବାରକୁ ଆସିଛି ପୁତ୍ର ସନ୍ତାନ । ଏହି ଖୁସି ଖବରକୁ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତ୍ରୀ । ସାମନ୍ଥା ସେୟାର କରିଥିବା ଫଟୋରେ ନବଜାତ ଶିଶୁର ଛୋଟ ଛୋଟ ହାତକୁ ତାଙ୍କ ବାପା ଓ ମାଆ ନିଜ ହାତରେ ଧରିଥିବା ଦେଖିବାକୁ ମିଳିଛି। ଫଟୋ ସହ ସେ ଲେଖିଛନ୍ତି, “ଆମର ସୁନ୍ଦର ପୁଅ ଦେବ । ଆମ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ।” ଏହି ଖବର ପରେ ପ୍ରଶଂସକ ଓ ସିନେଜଗତର ବହୁ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।ପୋଷ୍ଟରେ ସେ ଲେଖିଛନ୍ତି, ‘ଆମର ପ୍ରିୟ ପୁଅ ଦେବ ନିଦିମୋରୁ । ୧୯.୧୧.୨୦୨୬ । ଆଜି ଆମେ ଯେତିକି ଖୁସି ଅଛି, ପୂର୍ବରୁ କେବେ ଏତେ ଖୁସି ନଥିଲା ।ପୁଅର ଜନ୍ମ ପୂର୍ବରୁ ସାମନ୍ଥା ଘରେ ପାରମ୍ପରିକ ରୀତିନୀତି ଅନୁସାରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଥିଲେ । ଏଥିରେ ସ୍ୱାମୀ ରାଜ ନିଦିମୋରୁଙ୍କ ସହ ପରିବାରର ନିକଟ ସମ୍ପର୍କୀୟମାନେ ସାମିଲ ହୋଇଥିଲେ । ଏହି ଅବସରରେ ସାମନ୍ଥା ହାତ ଯୋଡ଼ି ପୂଜା କରିବା ସହ ପରିବାରର ବୟୋଜ୍ୟେଷ୍ଠ ସଦସ୍ୟଙ୍କଠାରୁ ଆଶୀର୍ବାଦ ନେଇଥିଲେ । ପରିବାରର ମହିଳାମାନେ ତାଙ୍କ ମୁଣ୍ଡରେ ହାତ ରଖି ଏବଂ ଅକ୍ଷତ ପକାଇ ତାଙ୍କୁ ଓ ଆସିବାକୁ ଥିବା ନୂଆ ଅତିଥିଙ୍କୁ ଆଶୀର୍ବାଦ ଦେଇଥିଲେ ।ସାମନ୍ଥା ଓ ରାଜ ନିଦିମୋରୁ ୨୦୨୫ ଡିସେମ୍ବର ୧ ତାରିଖରେ ବିବାହ କରିଥିଲେ। କୋଏମ୍ବାଟୁରସ୍ଥିତ ସଦ୍ଗୁରୁଙ୍କ ଇଶା ଯୋଗ କେନ୍ଦ୍ରରେ ଅତି ନିରାଡ଼ମ୍ବର ଭାବେ ଏହି ବିବାହ ହୋଇଥିଲା। ଗତବର୍ଷ ୱାର୍ଲ୍ଡ ପିକଲବଲ୍ ଲିଗ୍ ସମୟରେ ଉଭୟଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସାମନ୍ଥା ସେତେବେଳେ ଚେନ୍ନାଇ ସୁପର ଚ୍ୟାମ୍ପସ୍ ଦଳକୁ ଉତ୍ସାହିତ କରୁଥିବା ବେଳେ ରାଜ ମଧ୍ୟ ତାଙ୍କ ପାଖରେ ଉପସ୍ଥିତ ଥିଲେ।