ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ଲେଖିଲେ ‘ ବଞ୍ଚିଗଲି’
ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ନିଜ ପ୍ରଶଂସକଙ୍କ ସହ ସେ ପ୍ରାୟତଃ ନିଜର ଭାବନା ଓ ମତାମତ ସେୟାର କରିଥାନ୍ତି। ତାଙ୍କର ପ୍ରତ୍ୟେକ ପୋଷ୍ଟ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥାଏ।ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଟାର୍ଗେଟ୍ରେ ଥିଲେ ବିଗ୍ ବି । ମୁମ୍ବାଇସ୍ଥିତ ତାଙ୍କ ବାସଭବନ ‘ଜଲସା’ ବାହାରେ ଗୁଳିକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଦିଲ୍ଲୀ ପୁଲିସ୍ ଦାବି କରିଛି । ତେବେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହେବା ପୂର୍ବରୁ ପୋଲିସ ଦୁଇଜଣ ସନ୍ଦିଗ୍ଧ ସୁଟରଙ୍କୁ ଗିରଫ କରିଛି । ଏହି ଘଟଣା ମଧ୍ୟରେ ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ଏକ ରହସ୍ୟମୟ ପୋଷ୍ଟ କରିଛନ୍ତି ।ଅମିତାଭ ବଚ୍ଚନ ନିଜର ଏକ୍ସ ଆକାଉଣ୍ଟରେ ମାତ୍ର ଦୁଇଟି ଶବ୍ଦ ଲେଖି ଏକ ପୋଷ୍ଟ କରିଥିଲେ। ସେ ଲେଖିଥିଲେ, ‘ବଚ୍ ଗଏ’ ଅର୍ଥାତ୍ ‘ବଞ୍ଚିଗଲି’। ତାଙ୍କର ଏହି ଛୋଟ ପୋଷ୍ଟକୁ ନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। କେଉଁ ପରିସ୍ଥିତିରେ ଏବଂ କାହାକୁ ଉଦ୍ଦେଶ୍ୟ କରି ସେ ଏଭଳି ଲେଖିଛନ୍ତି, ତାହା ଜାଣିବାକୁ ଫ୍ୟାନ୍ସ ଉତ୍ସୁକ ହୋଇପଡ଼ିଛନ୍ତି। ଏହି ପୋଷ୍ଟ ପରେ ଅନେକ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଛନ୍ତି। ତେବେ ଏହାକୁ ନେଇ ଅମିତାଭଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।ଅମିତାଭ ବଚ୍ଚନଙ୍କୁ ଟାର୍ଗେଟ୍ କରିବା ପଛରେ ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗା ସହ ଜଡ଼ିତ ଏକ କଥିତ ବୟାନ କାରଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି।
ତେବେ ଏହା ଏପର୍ଯ୍ୟନ୍ତ ତଦନ୍ତ ପରିସରରେ ରହିଛି। ଆକ୍ରମଣର ପ୍ରକୃତ କାରଣ, ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ସମ୍ପର୍କ ଏବଂ କେଉଁଠାରୁ ନିର୍ଦ୍ଦେଶ ଆସୁଥିଲା, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।