କୃଷି ଯୋଜନାରେ ଜାଲିଆତି, ତିନି ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର ( ରାଜ୍ୟକାହାଣୀ )କୃଷି ଯୋଜନାରେ ୨୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ୨ କୃଷି ଅଧିକାରୀ ଓ ଏନ୍ ଜିଓ ନିର୍ଦ୍ଦେଶକ ଗିରଫ । ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ବଡ଼ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ । କାମ ନକରି ଜାଲ୍ ବିଲ୍ ଜରିଆରେ ୨୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ଦୁଇଜଣ ବରିଷ୍ଠ କୃଷି ଅଧିକାରୀଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଗିରଫ ସରକାରୀ ବାବୁ ଦ୍ୱୟ ହେଲେ ବଲେଶ୍ୱରର ପୂର୍ବତନ ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସର ସରୋଜ କୁମାର ଗିରି ଏବଂ ଚିଫ ଡିଷ୍ଟ୍ରିକ୍ଟ ଏଗ୍ରିକଲଚରାଲ ଅଫିସର ବିଶ୍ୱଜିତ ପଣ୍ଡା । ବନ୍ଧା ହାଇଥିବା ଏନଜିଓ କର୍ମୀ ହେଲେ ଶକ୍ତିଶୀଖା ଏନଜିଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା । ସିଆରଏଫଏମ ସ୍କିମ୍‌ରେ ୨୫.୦୩ ଲକ୍ଷ ଟଙ୍କା ଚଳୁ କରିଦେବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ।ଧାନଚାଷୀମାନଙ୍କ ସାମୁହିକ ବିକାଶ ନିମନ୍ତେ ରାଜ୍ୟ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସିଆରଏଫଏମ ସ୍କିମ୍ ଆରମ୍ଭ କରାଯାଇଥିଲା । ଏହି ସ୍କିମରେ ବାଲେଶ୍ୱର ଜିଲାର ୧୨,୦୦୦ ହେକ୍ଟର ଜମିରେ ମୁଗ ଏବଂ ୩,୫୦୦ ହେକ୍ଟର ଜମିରେ ବିରି ଚାଷ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ସରକାରଙ୍କ ପକ୍ଷରୁ ୨୫.୦୩ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ବାଲେଶ୍ୱର ଜିଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ବାରିପଦାର ଶକ୍ତିଶୀଖା ଡେଭଲପମେଣ୍ଟ ସୋସାଇଟି ନାମକ ଏକ ଏନଜିଓକୁ ପ୍ରଫେସନାଲ ଏଜେନ୍ସି(ପିଏ) ଭାବେ ନିଯୁକ୍ତି ଦିଆଯାଇଥିଲା । ଯୋଜନା ଅନୁସାରେ ଏହି ଏନଜିଓକୁ ହୀତାଧିକାରୀ ଚିହ୍ନଟ, ଜମି ଚିହ୍ନଟ ସମେତ ସଂପୂର୍ଣ୍ଣ ଯୋଜନାର ସଫଳ ରୂପାୟନ ଦାୟିତ୍ୱ ଦିଆଯାଇଥିଲା । ତେବେ ଏହି ଏନଜିଓ କୌଣସି କାର୍ଯ୍ୟ ନ କରି କାଗଜ କଲମରେ ବିଲ୍ ଦଖଲ କରି ସଂପୂର୍ଣ୍ଣ ସରକାରୀ ଅର୍ଥ ଉଠାଇ ନେଇଥିଲା । ଜିଲାର ୧୨ ବ୍ଲକର ବିଡିଓଙ୍କଠାରୁ ଏ ବାବଦରେ ରିପୋର୍ଟ ମିଳିବା ପରେ ଏନଜିଓର କଳା କାରନାମା ସାମ୍ନାକୁ ଆସିଥିଲା । ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ଟି ବ୍ଲକର ବ୍ଲକ କୃଷି ଅଧିକାରୀମାନେ ମଧ୍ୟ ସମ୍ପୃକ୍ତ ଏନ୍ ଜିଓ କୌଣସି କାମ କରିନଥିବା ନେଇ ତଦନ୍ତ ବେଳେ ବୟାନ ଦେଇଛନ୍ତି । ଭିଜିଲାନ୍ସର ଅଭିଯୋଗ ଅନୁସାରେ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା, ତତ୍କାଳୀନ କୃଷି ଜିଲ୍ଲା ଅଧିକାରୀ ସରୋଜ କୁମାର ଗିରି ଏବଂ ଏନ୍ ଜିଓ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା ପରସ୍ପର ମଧ୍ୟରେ ଷଡ଼ଯନ୍ତ୍ର କରି ସରକାରୀ ଅର୍ଥ ଆତ୍ମସାତ୍ କରିଥିଲେ । ଏନ୍ ଜିଓ ପକ୍ଷରୁ କାମ ହୋଇଥିବା ଦର୍ଶାଇ ଜାଲ୍ ବିଲ୍ ପ୍ରସ୍ତୁତ କରାଯାଇଥିଲା। ଯୋଜନାର ନିୟମ ଅନୁସାରେ ଆବଶ୍ୟକ କ୍ଷେତ୍ରସ୍ତରୀୟ ପ୍ରମାଣପତ୍ର ନଥିବା ସତ୍ତ୍ୱେ ଦୁଇ ସରକାରୀ ଅଧିକାରୀ ସେହି ବିଲ୍ ଗୁଡ଼ିକୁ ପ୍ରକ୍ରିୟାକରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା୍ (କେସ ନଂ ୨୭/୨୦୨୬) ରୁଜୁ ହେବା ସହ ଅଭିଯୁକ୍ତ ସରକାରୀ ଅଧିକାରୀ ଶ୍ରୀ ଗିରି, ଶ୍ରୀ ପଣ୍ଡା ଓ ଏନଜିଓ ନିର୍ଦ୍ଦେଶକ ବେହେରାଙ୍କ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ।

You might also like