ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର ଯକୃତରୁ ୨୦ ସେ.ମି. ଆକାରର ବିଶାଳ ଟ୍ୟୁମର ବାହାର କଲେ ଡାକ୍ତର

ଭୁବନେଶ୍ୱର, ରାଜ୍ୟ କାହାଣୀ: ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ)ର ଡାକ୍ତରୀ ଟିମ୍ । ଜଣେ ରୋଗୀଙ୍କ ଯକୃତର ଡାହାଣ ପାର୍ଶ୍ୱରୁ ୨୦ ସେଂଟିମିଟର ଆକାରର ଏକ ବିଶାଳ ଟ୍ୟୁମରକୁ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସଫଳତାର ସହ ବାହାର କରିଛନ୍ତି ସମ୍ମମ୍‌ର ଡାକ୍ତର ।ସମ୍ମମର ଗ୍ୟାଷ୍ଟ୍ରୋସର୍ଜରୀ ଓ ଲିଭର୍ ଟ୍ରାନ୍ସପ୍ଲାଂଟ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଆଶୀର୍ବାଦ ପଣ୍ଡାଙ୍କ ନେତୃତ୍ୱରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଓଡ଼ିଶାରେ ଉନ୍ନତ ଯକୃତ ଓ ପିତନଳୀ ସମ୍ବନ୍ଧୀୟ ଅସ୍ତ୍ରୋପଚାର କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।ଯକୃତର ଡାହାଣ ପାର୍ଶ୍ୱକୁ ବାହାର କରିବା ପ୍ରକ୍ରିୟାକୁ ରାଇଟ୍ ହେପାଟେକ୍ଟୋମି କୁହାଯାଏ । ଯକୃତରେ ଅତ୍ୟଧିକ ରକ୍ତସଂଚାଳନ ହେଉଥିବାରୁ ଏହି ଅସ୍ତ୍ରୋପଚାରକୁ ଅତ୍ୟନ୍ତ ଜଟିଳ ଓ ଆହ୍ୱାନପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି କ୍ଷେତ୍ରରେ ଟ୍ୟୁମରର ବିଶାଳ ଆକାର ଯୋଗୁଁ ତାହା ଫାଟିଯିବା ଏବଂ ଅଧିକ ରକ୍ତସ୍ରାବ ହେବାର ଆଶଙ୍କା ମଧ୍ୟ ରହିଥିଲା ।ଏହି ଜଟିଳତାକୁ ଏଡ଼ାଇବା ପାଇଁ ଡାକ୍ତର ପଣ୍ଡା ଏକ ସ୍ୱତନ୍ତ୍ର ଅସ୍ତ୍ରୋପଚାର ପଦ୍ଧତି \’ଆଂଟିରିୟ ଆପ୍ରୋଚ୍‌\’ ଅବଲମ୍ବନ କରିଥିଲେ । ବଡ଼ ଆକାରର ଯକୃତ ଟ୍ୟୁମର ବାହାର କରିବା କ୍ଷେତ୍ରରେ ଏହି ପଦ୍ଧତି ବିଶେଷ ଉପଯୋଗୀ । ପାରଂପରିକ ପଦ୍ଧତିରେ ପ୍ରଥମେ ଯକୃତକୁ ତାହାର ସ୍ୱାଭାବିକ ସ୍ଥିତିରୁ ଅଲଗା କରାଯାଉଥିବା ବେଳେ ଏହି ପଦ୍ଧତିରେ ଯକୃତକୁ ତାହାର ସ୍ୱାଭାବିକ ସ୍ଥିତିରେ ରଖି ଟ୍ୟୁମର ଥିବା ଅଂଶକୁ ରକ୍ତ ଯୋଗାଉଥିବା ପ୍ରମୁଖ ରକ୍ତବାହୀ ନଳୀଗୁଡ଼ିକୁ ନିୟନ୍ତ୍ରଣ କରାଯାଇଥାଏ । ଫଳରେ ଯକୃତର ଅନାବଶ୍ୟକ ଚଳନ ଓ ଟ୍ୟୁମର ଉପରେ ଚାପ କମିବା ସହ ରକ୍ତସ୍ରାବର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।ପୂର୍ବ ପ୍ରସ୍ତୁତି, ଅସ୍ତ୍ରୋପଚାରରେ ସୂକ୍ଷ୍ମତା ଏବଂ ଡାକ୍ତରୀ ଦଳର ସମନ୍ୱିତ ଉଦ୍ୟମ ଯୋଗୁଁ ୨୦ ସେ.ମି. ଆକାରର ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଥିଲା । ଏହି ସମୟରେ ରକ୍ତସ୍ରାବକୁ ସର୍ବନିମ୍ନ ସ୍ତରରେ ରଖିବା ସହ ଯକୃତର ଅବଶିଷ୍ଟ ଅଂଶର କାର୍ଯ୍ୟକ୍ଷମତାକୁ ସୁରକ୍ଷିତ ରଖାଯାଇଥିଲା ।ସମ୍ମମର ଚିଫ୍ ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ଭବାନୀ ଶଙ୍କର ପତି ଏବଂ ତାଙ୍କ ଟିମ୍‌ଙ୍କ ତତ୍ୱାବଧାନରେ ରୋଗୀଙ୍କୁ ନିଶ୍ଚେତକ ଦିଆଯାଇଥିଲା । ଦୀର୍ଘ ଓ ଜଟିଳ ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ଏହି ଟିମ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସିଥିଲା ଏବଂ ସୁସ୍ଥ ଅବସ୍ଥାରେ ତାଙ୍କୁ ହସ୍ପିଟାଲରୁ ଛାଡ଼ କରାଯାଇଥିଲା ।ଏହି ସଫଳତା ସଂର୍ପକରେ ଡାକ୍ତର ପଣ୍ଡା କହିଛନ୍ତି, “ଏତେ ବଡ଼ ଆକାରର ଯକୃତ ଟ୍ୟୁମର ବାହାର କରିବା ଏକ ବଡ଼ ଆହ୍ୱାନ । ବିଶେଷକରି ଯକୃତର ପରିବର୍ତିତ ଗଠନ ଏବଂ ଅଧିକ ରକ୍ତସ୍ରାବର ଆଶଙ୍କା ଏହାକୁ ଆହୁରି ଜଟିଳ କରିଥାଏ । ଆଂଟିରିୟ ଆପ୍ରୋଚ୍ ପଦ୍ଧତି ଆମକୁ ଅଧିକ ନିୟନ୍ତ୍ରଣ ଓ ସଠିକତାର ସହ ଅସ୍ତ୍ରୋପଚାର କରିବାରେ ସହାୟତା କରିଥିଲା । ଏହି ଅସ୍ତ୍ରୋପଚାର ଉପଯୁକ୍ତ ଯୋଜନା, ଅସ୍ତ୍ରୋପଚାରଗତ ଦକ୍ଷତା ଏବଂ ସମଗ୍ର ଡାକ୍ତରୀ ଟିମ୍‌ର ସମନ୍ୱିତ ଉଦ୍ୟମର ପ୍ରତିଫଳନ । ରୋଗୀଟି ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ।”ସମ୍ ଅଲ୍‌ଟିମେଟ୍ ମେଡିକେୟାରର ମୁଖ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ “ଓଡ଼ିଶା ଓ ପୂର୍ବ ଭାରତର ଲୋକମାନଙ୍କ ନିକଟରେ ଉନ୍ନତ ଓ ବିଶେଷଜ୍ଞ ଚିକିତ୍ସା ସେବା ପହୁଂଚାଇବା ଆମର ପ୍ରତିବଦ୍ଧତା । ଏହି ସଫଳ ଅସ୍ତ୍ରୋପଚାର ଆମ ବିଶେଷଜ୍ଞ ଡାକ୍ତରମାନଙ୍କ ଦକ୍ଷତା, ଅତ୍ୟାଧୁନିକ ଭିତିଭୂମି ଏବଂ ବିଭିନ୍ନ ବିଭାଗର ସମନ୍ୱିତ ଉଦ୍ୟମ ମାଧ୍ୟମରେ ଜଟିଳ ରୋଗର ଚିକିତ୍ସା କରିବାର କ୍ଷମତାକୁ ପ୍ରମାଣିତ କରୁଛି ।”ଏହି ସଫଳତା ପାଇଁ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଛନ୍ତି, “ଏହି ସଫଳତା ଆମ ଡାକ୍ତରମାନଙ୍କ ନିଷ୍ଠା, ଦକ୍ଷତା ଏବଂ ଉତ୍କର୍ଷତା ହାସଲ କରିବାର ନିରନ୍ତର ପ୍ରୟାସର ପ୍ରମାଣ ।”ସେ ଆହୁରି କହିଛନ୍ତି, “ସୋଆ ଏବଂ ସମ୍ ଅଲ୍‌ଟିମେଟ୍ ମେଡିକେୟାରର ଲକ୍ଷ୍ୟ ହେଉଛି ଏଭଳି ଉନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଢ଼ି ତୋଳିବା, ଯାହା ଅତ୍ୟନ୍ତ ଜଟିଳ ରୋଗର ମଧ୍ୟ ସଫଳତାର ସହ ଚିକିତ୍ସା କରିପାରିବ । ଆମ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଓଡ଼ିଶାରେ ବିଶେଷଜ୍ଞ ଚିକିତ୍ସା ସେବାର ମାନକୁ କ୍ରମାଗତ ଭାବେ ଉଚ୍ଚତର ସ୍ତରକୁ ନେଉଥିବାରୁ ଆମେ ଗର୍ବିତ ।”ଏହି ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ସମ୍ ଅଲ୍‌ଟିମେଟ୍ ମେଡିକେୟାର ଓଡ଼ିଶାରେ ଜଟିଳ ଗ୍ୟାଷ୍ଟ୍ରୋଇଂଟେଷ୍ଟାଇନାଲ୍‌, ଯକୃତ ଓ ପିତନଳୀ ସମ୍ବନ୍ଧୀୟ ଚିକିତ୍ସା ତଥା ଲିଭ ଟ୍ରାନ୍ସପ୍ଳାଂଟ କ୍ଷେତ୍ରରେ ନିଜର ଦକ୍ଷତା ଓ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି ।

You might also like