ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ସମବାୟ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର ( ରାଜ୍ୟକାହାଣୀ )ଧାନ ଅମଳରେ ବିଳମ୍ବ ଯୋଗୁଁ ମଣ୍ଡି ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ପୂର୍ବ ବ୍ୟବସ୍ଥା ଅନୁସାରେ ସୁରୁଖୁରୁରେ ଧାନ ସଂଗ୍ରହ କରାଯିବ। ୩ଟି ଜିଲ୍ଲାରେ ମଣ୍ଡି ଖୋଲିବା ତାରିଖ ଧାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।କଳାହାଣ୍ଡି ଜିଲ୍ଲାରେ ଡିସେମ୍ବର ୫, ସୁବର୍ଣ୍ଣପୁରରେ ଡିସେମ୍ବର ୧୧ ଏବଂ ବଲାଙ୍ଗୀର ଜିଲ୍ଲାରେ ଡିସେମ୍ବର ୧୪ ତାରିଖରୁ ଖୋଲିବ ଧାନ ମଣ୍ଡି। ଚଳିତ ବର୍ଷ ଲଗାତାର ବର୍ଷା ଯୋଗୁଁ ଧାନ ଠିକ୍ ସମୟରେ ପାଚିପାରିନାହିଁ। ଏହାସହ ଖରାର ପରିମାଣ କମ୍ ରହିବାରୁ ଧାନ ଅମଳରେ ବିଳମ୍ବ ହୋଇଛି। ଧାନ ପାଚିବା ପରେ ହିଁ ଅମଳ କରାଯାଇପାରିବ। ଗତବର୍ଷ ଡିସେମ୍ବର ୧୫ ସୁଦ୍ଧା ମଣ୍ଡି ଖୋଲିଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୫ରୁ ମଣ୍ଡି ଖୋଲିବାକୁ ଯାଉଛି। ଧାନ ସଂଗ୍ରହ ପାଇଁ ପୂର୍ବରୁ ଥିବା ବ୍ୟବସ୍ଥା ହିଁ ବଳବତ୍ତର ରହିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ଖରିଫ୍ ଧାନ କିଣା ଆରମ୍ଭ ହେବା ପୂର୍ବରୁ ବଢ଼ିଲା ଅଡ଼ୁଆ । ୧୨ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ୧୦ ଦିନିଆ ଅଲ୍ଟିମେଟମ୍ ଦେଇଛି ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍। ଦାବି ପୂରଣ ନହେଲେ ଡିସେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ ଧାନ ଉଠାଣ ଓ ମିଲିଂ କାର୍ଯ୍ୟ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି । ଏହାକୁ ନେଇ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି ।

You might also like