ଇରାନ ସହ ବନ୍ଦ ହୋଇଛି ଯୁଦ୍ଧ: ଡୋନାଲ୍ଡ ଟ୍ରମ୍ପ

ଇରାନକୁ ନେଇ ଆମେରିକାର ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନର ସଙ୍କେତ । ଇରାନରେ ଆମେରିକାର ସାମରିକ ଅଭିଯାନ ପ୍ରାୟତଃ ଶେଷ ହୋଇସାରିଥିବା ନେଇ ମନ୍ତବ୍ୟ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାଲି ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି, ସାମରିକ ଦୃଷ୍ଟିକୋଣରୁ ଇରାନ ପ୍ରାୟତଃ ଶେଷ ହୋଇଯାଇଛି । ତେବେ ଭବିଷ୍ୟତରେ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ ହେବ ବୋଲି ଟ୍ରମ୍ପ ସ୍ପଷ୍ଟ ଘୋଷଣା କରିନାହାନ୍ତି । ଚଳିତ ବର୍ଷ ଜୁଲାଇ ମାସରୁ ଆମେରିକା ଇରାନ ବିରୋଧରେ ନିଜର ଅଭିଯାନକୁ ମୁଖ୍ୟତଃ ଆର୍ଥିକ କଟକଣା, ନୌସେନା ଅବରୋଧ ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ଲକ୍ଷ୍ୟଭିତ୍ତିକ ଆକ୍ରମଣ ମଧ୍ୟରେ ସୀମିତ ରଖିଛି । ଏବେ ଏହି ନୀତି ଜାରି ରହିବ ବୋଲି ଟ୍ରମ୍ପ ସଙ୍କେତ ଦେଇଛନ୍ତି । ଗତ ସପ୍ତାହରେ ହୋଇଥିବା ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟି କଂଗ୍ରେସର ଉଭୟ ସଦନରେ ଡେମୋକ୍ରାଟ୍‌ଙ୍କଠାରୁ ପରାଜୟ ବରଣ କରିଥିଲା। ଦୀର୍ଘ ୮ ମାସ ଧରି ଚାଲିଥିବା ଯୁଦ୍ଧକୁ ନେଇ ଆମେରିକୀୟ ଭୋଟରଙ୍କ ଅସନ୍ତୋଷ ଏହି ନିର୍ବାଚନ ଉପରେ ପ୍ରଭାବ ପକାଇଥିବା କୁହାଯାଉଛି। ଏହି ଯୁଦ୍ଧ ଯୋଗୁଁ ତୈଳ ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଏହାର ପ୍ରଭାବ ବିଶ୍ୱ ଅର୍ଥନୀତିର ପ୍ରାୟ ସବୁ କ୍ଷେତ୍ରରେ ପଡ଼ିଛି।ଅନ୍ୟପଟେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପୂର୍ବରୁ କତାର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଗତ ସପ୍ତାହରେ କତାର ମାଧ୍ୟମରେ ଆମେରିକାକୁ ଏକ ନୂଆ ପରମାଣୁ ପ୍ରସ୍ତାବ ପଠାଇଥିଲା ଇରାନ । ତେବେ ଏହି ପ୍ରସ୍ତାବ ସହ ତେହେରାନ ସାତଟି ସର୍ତ୍ତ ରଖିଥିବା କୁହାଯାଉଛି । ଆମେରିକା ଏହି ସର୍ତ୍ତଗୁଡ଼ିକ ପୂରଣ କଲେ ହିଁ ଆଲୋଚନା ଆଗକୁ ବଢ଼ିପାରିବ ବୋଲି ଇରାନର ଆଭିମୁଖ୍ୟ ରହିଛି ।

You might also like