୨ ରୁ ଅଧିକ ସନ୍ତାନ ଥିଲେ ଲଢ଼ିପାରିବେ ନିର୍ବାଚନ ! ମାମଲାରେ ପୁନର୍ବିଚାର କରିବେ ସର୍ବୋଚ୍ଚ ଅଦାଲତ
ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କର ପୌର ସଂସ୍ଥା ନିର୍ବାଚନ ଲଢ଼ିବାରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଇନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।ଦେଶରେ ଜନସଂଖ୍ୟା ବୃଦ୍ଧି ହାର ଓ ପ୍ରଜନନ ହାରରେ ବ୍ୟାପକ ପରିବର୍ତ୍ତନ ଆସିଥିବାରୁ ପୁରୁଣା ଜନସଂଖ୍ୟା ନିୟନ୍ତ୍ରଣ ନୀତିର ଯଥାର୍ଥତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ ।ଜଷ୍ଟିସ୍ ପି.ଏସ୍. ନରସିଂହ ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି, ଦୁଇରୁ ଅଧିକ ସନ୍ତାନ ଥିବା କାରଣରୁ କୌଣସି ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରିବା ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରଜନନ ସ୍ୱାୟତ୍ତତା ଅଧିକାରର ଉଲ୍ଲଂଘନ । ସୁପ୍ରିମକୋର୍ଟ କହିଛନ୍ତି, ୨୦୦୩ ମସିହାରେ ଦେଶର ମୋଟ ପ୍ରଜନନ ହାର ପ୍ରାୟ ୩ ଥିବାବେଳେ ଏବେ ତାହା ୧.୯କୁ ଖସିଆସିଛି । ଫଳରେ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିକୁ ନେଇ ପୂର୍ବରୁ ରହିଥିବା ଆଶଙ୍କା ଆଉ ସେହିଭଳି ପ୍ରାସଙ୍ଗିକ ନୁହେଁ । ଏଭଳି ପରିସ୍ଥିତିରେ ଦୁଇ ସନ୍ତାନ ନୀତି ଆଧାରରେ ଲୋକଙ୍କୁ ରାଜନୈତିକ ଅଧିକାରରୁ ବଞ୍ଚିତ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି ।ମହାରାଷ୍ଟ୍ରର ପୂର୍ବତନ ସରପଞ୍ଚ ମଙ୍ଗଳା ଭୀମରାଓ ଇଙ୍ଗଲେଙ୍କ ମାମଲାର ଶୁଣାଣି ବେଳେ ଏହି ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ । ତୃତୀୟ ସନ୍ତାନ ଥିବା ଅଭିଯୋଗରେ ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ଆଇନ, ୧୯୫୯ ଅନୁଯାୟୀ ତାଙ୍କୁ ସରପଞ୍ଚ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ୨୦୨୪ ଅକ୍ଟୋବରରେ ବୁଲଢାଣାର ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ପରେ ତାଙ୍କ ଆବେଦନ ଖାରଜ ହୋଇଥିଲା । ୨୦୨୫ ଅଗଷ୍ଟରେ ବମ୍ବେ ହାଇକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ କାଏମ ରଖିଥିଲେ । ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।ଏହି ମାମଲାରେ ସୁପ୍ରିମକୋର୍ଟ ସମ୍ପୃକ୍ତ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ।ଏଥିସହ ଦୁଇ ସନ୍ତାନ ନୀତି ସମ୍ପର୍କିତ ଆଇନର ସାମ୍ବିଧାନିକ ବୈଧତା ଯାଞ୍ଚ ପାଇଁ ମାମଲାକୁ ବୃହତ୍ତର ଖଣ୍ଡପୀଠକୁ ପଠାଇଛନ୍ତି । କୋର୍ଟଙ୍କ ମତରେ ସନ୍ତାନ ଜନ୍ମ ଦେବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ନାଗରିକଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ତେବେ ଏହି ଆଇନକୁ ସୁପ୍ରିମକୋର୍ଟ ଏପର୍ଯ୍ୟନ୍ତ ରଦ୍ଦ କରିନାହାନ୍ତି ।