ଶିକ୍ଷକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଶିକ୍ଷକଙ୍କଠାରୁ ଅନୁଭୂତି ଶୁଣିଲେ
ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୨୦୨୬ର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବଦାନ, ଅଭିଜ୍ଞତା ଏବଂ ନୂଆ ପିଢ଼ିକୁ ଗଢ଼ିବାରେ ଶିକ୍ଷକଙ୍କ ଭୂମିକା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଶିକ୍ଷକମାନେ କିଭଳି ନିଜ ଅଭିନବ ପଦକ୍ଷେପ ଓ ଶିକ୍ଷାଦାନ ପ୍ରଣାଳୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଛନ୍ତି, ସେନେଇ ସେମାନଙ୍କ ଠାରୁ ଅନୁଭୂତି ମଧ୍ୟ ଶୁଣୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଏହି ଆଲୋଚନା ପାଇଁ ଦେଶର ବିଭିନ୍ନ ପ୍ରାନ୍ତର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଯୋଗଦେଇଥିଲେ ।ଆଲୋଚନାର ଏକ ରୋଚକ ଅଂଶ ଥିଲା ପବ୍ଲିକ ସ୍ପିକିଂ। ନିଜର ବକ୍ତୃତା କୌଶଳକୁ ଆହୁରି ଭଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଜଣେ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ମାଗିଥିଲେ। ସେ ପଚାରିଥିଲେ, ଯଦି ମୁଁ ଆପଣଙ୍କ ପାଖରେ ଜଣେ ଛାତ୍ର ହୋଇଥାନ୍ତି ଏବଂ ଜଣେ ଦକ୍ଷ ବକ୍ତା ହେବାକୁ ଚାହୁଁଥାନ୍ତି, ତେବେ ଆପଣ ମୋତେ କ’ଣ ପରାମର୍ଶ ଦେଇଥାନ୍ତେ? ମୋତେ କ’ଣ କରିବା ଉଚିତ୍?
ଏହାର ଉତ୍ତରରେ ଶିକ୍ଷୟିତ୍ରୀ ଜଣକ କହିଥିଲେ ଯେ ଜଣେ ଦକ୍ଷ ବକ୍ତା ହେବା ପାଇଁ ପ୍ରଥମେ ଆତ୍ମବିଶ୍ୱାସ ଆବଶ୍ୟକ। ଅଧିକ ଅଭ୍ୟାସ ଦ୍ୱାରା ଆତ୍ମବିଶ୍ୱାସ ଆସିଥାଏ ବୋଲି ସେ କହିଥିଲେ।ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଦେଖି ସେ ନିଜେ ମଧ୍ୟ ଟିକେ ନର୍ଭସ ହୋଇଯାଇଥିବା କଥା ହସିହସି କହିଥିଲେ। ଶିକ୍ଷକ ଦିବସର ଏହି ସାକ୍ଷାତକାରରେ ପିଏମ ମୋଦି ଓ ଶିକ୍ଷକମାନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ଏବେ ଚର୍ଚ୍ଚାରେ ରହିଛି।