ସ୍ବାମୀକୁ ଶେଷ ଚିଠି! ୬ ବର୍ଷର ପୁଅ ସହ ଜୀବନ ହାରିଲେ ମହିଳା

ମହାରାଷ୍ଟ୍ରର ପୁଣେ ସହରରେ ଜଣେ ମହିଳା ନିଜ ୬ ବର୍ଷର ଛୁଆକୁ ଧରି ୧୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି । ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହି ସମୟରେ ମିଳିଥିବା ସୁଇସାଇଡ୍ ନୋଟଟି ଅଧିକ ଚିନ୍ତା ବଢ଼ାଇଛି ।ମୃତ ମହିଳାଙ୍କ ନାଁ ଏକତା ବାଙ୍ଗର। ସେ ନିଜ ୬ ବର୍ଷର ପୁଅ ସହ ଏକ ହାଇପ୍ରୋଫାଇଲ୍‌ ସୋସାଇଟିରେ ରହୁଥିଲେ। ତାଙ୍କ ସ୍ୱାମୀ ମନୋଜ ବାଙ୍ଗର ପୁଣେର ଏକ ଆଇଟି କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରନ୍ତି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଏହି ଘଟଣା ଘଟିଥିଲା। ସେହି ସମୟରେ ଘରେ ଏକତା ଓ ତାଙ୍କ ପୁଅ ଥିଲେ।ପୁଲିସ ଘଟଣାସ୍ଥଳରୁ ଜବତ କରିଥିବା ୭ରୁ ୮ ପୃଷ୍ଠାର ଏକ ଲିଖିତ ନୋଟ୍‌ରେ ଏକତା ନିଜ ସ୍ୱାମୀଙ୍କ ଉଦ୍ଦେଶ୍ୟରେ କିଛି କଥା ଲେଖିଥିବା ଜଣାପଡ଼ିଛି। ତାଙ୍କ ଅନୁପସ୍ଥିତି ପରେ ସ୍ୱାମୀ ପୁନର୍ବାର ବିବାହ କରି ନୂଆ ଜୀବନ ଆରମ୍ଭ କରନ୍ତୁ ବୋଲି ସେ ଲେଖିଥିବା ସୂଚନା ମିଳିଛି।ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି, କିନ୍ତୁ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ କିଛିଦିନ ହେବ ମାନସିକ ଚାପରେ ରହୁଥିଲେ । ପୁଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିବାବେଳେ ପରିବାର ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛି ।

You might also like