୬ ହଜାର ଲାଞ୍ଚ ନେଇ ଫସିଲେ JRA, ତହସିଲ ଅଫିସ୍ରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର (ରାଜ୍ୟ କାହାଣୀ )୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପାଟଣା ତହସିଲର କନିଷ୍ଠ ରାଜସ୍ୱ ସହାୟକ । ଜମି ମ୍ୟୁଟେସନ୍ ଫାଇଲ୍ ଆଗକୁ ବଢ଼ାଇବା ଏବଂ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ (JRA) ବି.ଏଚ୍ ଉମାଶଙ୍କର । ସୂଚନାମୁତାବକ କେନ୍ଦୁଝର ଭିଜିଲାନ୍ସ ଡିଏସ୍ପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଏକ ଟିମ୍ ପାଟଣା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଡଳଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ପରିବାରର ଜମି ପାର୍ଟିଶନ ପାଇଁ ଆବେଦନ କରିଥିବାବେଳେ ଉମାଶଙ୍କର ତାଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ବ୍ୟକ୍ତି ବୁଧବାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହାପରେ ତହସିଲଦାର ଅଶ୍ୱିନୀ କୁମାର ନାଏକ ଓ ମୁଖ୍ୟ କିରାଣିଙ୍କଠାରୁ ଉମାଶଙ୍କରଙ୍କ ସମ୍ପର୍କିତ ବିଭିନ୍ନ ଫାଇଲ ନେଇ ଭିଜିଲାନ୍ସ ଟିମ୍ ଯାଞ୍ଚ ଚଳାଇଛି।ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁରଖିଛି ।