ନେପାଳରେ ପୁଣି ପ୍ରଳୟ ଭୟ , ଫାଟିପାରେ ବ୍ୟାରିୟର ଲେକ୍!

ନେପାଳରେ ପୁଣି ବଡ଼ ବନ୍ୟା ବିପଦ। ବ୍ୟାରିଅର୍ ହ୍ରଦରେ ୨୦ ଲକ୍ଷ ଘନମିଟର ପାଣି, ଆଗାମୀ ୩ ଦିନ ଅତ୍ୟନ୍ତ ବିପଦପୂର୍ଣ୍ଣ । ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ର ତାଣ୍ଡବ ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ସୃଷ୍ଟି ହୋଇଛି । ଚୋଚେନ୍ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମ ନିକଟରେ ମାଟି, ପଥର ଓ ଅନ୍ୟାନ୍ୟ ଆବର୍ଜନା ଜମି ଏକ ପ୍ରାକୃତିକ ବନ୍ଧ ସୃଷ୍ଟି ହୋଇଛି । ଏହା ପଛରେ ବିପୁଳ ପରିମାଣର ପାଣି ଜମା ହେଉଥିବାରୁ ଏହାକୁ ‘ବ୍ୟାରିୟର ଲେକ୍’ କୁହାଯାଉଛି । ଚୀନ୍‌ର ଜଳ ସମ୍ପଦ ମନ୍ତ୍ରାଳୟ ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଛି । ରିପୋର୍ଟ ଅନୁସାରେ, ହ୍ରଦରେ ପ୍ରାୟ ୨୦ ଲକ୍ଷ ଘନମିଟର ପାଣି ଜମା ହୋଇସାରିଛି । ଆଗାମୀ ୭୨ ଘଣ୍ଟା ମଧ୍ୟରେ ଆହୁରି ପାଣି ଜମା ହେବାର ଆଶଙ୍କା ରହିଛି । ଯଦି ପ୍ରାକୃତିକ ବନ୍ଧ ଦୁର୍ବଳ ହୋଇ ହ୍ରଦ ଭାଙ୍ଗିଯାଏ, ତେବେ ହଠାତ୍ ବିପୁଳ ପରିମାଣର ଜଳ ତଳମୁହାଁ ହୋଇ ଆଉ ଏକ ବିନାଶକାରୀ ବନ୍ୟା ସୃଷ୍ଟି କରିପାରେ ।ହ୍ରଦ ଭାଙ୍ଗିଲେ କେତେ ପାଣି ଓ କେତେ ତୀବ୍ରତାରେ ତଳମୁଣ୍ଡକୁ ଯାଇପାରେ, କେଉଁ ଅଞ୍ଚଳ ପ୍ରଭାବିତ ହୋଇପାରେ—ସେନେଇ ବନ୍ୟା ବିପଦ ଆକଳନ କରାଯାଉଛି। ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ନେପାଳ ପୂର୍ବରୁ ହିଁ ବୁଧବାରର ଭୟଙ୍କର ଫ୍ଲାସ୍ ଫ୍ଲଡ୍ ରେ ବ୍ୟାପକ କ୍ଷୟକ୍ଷତି ସହ ଲଢ଼ୁଥିବା ବେଳେ ନୂଆ ବ୍ୟାରିଅର୍ ହ୍ରଦର ସୃଷ୍ଟି ଏବେ ଦ୍ୱିତୀୟ ବଡ଼ ବନ୍ୟା ବିପଦ ସୃଷ୍ଟି କରିଛି ।

You might also like