ହର୍ମୁଜ୍କୁ ନେଇ ତେଜିଲା ଟେନସନ୍, ଓମାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ
ଇରାନ-ଆମେରିକା ମଧ୍ୟରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ହର୍ମୁଜ୍ ପ୍ରଣାଳୀକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି ।ଆମେରିକା ପକ୍ଷରୁ ସମ୍ଭାବ୍ୟ ଗ୍ରାଉଣ୍ଡ ଅପରେସନ୍କୁ ନେଇ ଚର୍ଚ୍ଚା ମଧ୍ୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ୍ସ ବା IRGC ପକ୍ଷରୁ ଦିଆଯାଇଛି କଡ଼ା ଚେତାବନୀ । ଇରାନ କହିଛି, ଏପର୍ଯ୍ୟନ୍ତ ତାଙ୍କର ସାମରିକ କାର୍ଯ୍ୟକଳାପ ମୁଖ୍ୟତଃ ରକ୍ଷାତ୍ମକ ଥିଲା । କିନ୍ତୁ ଆଗକୁ ପରିସ୍ଥିତି ବଦଳିଲେ ଆକ୍ରମଣାତ୍ମକ ରଣନୀତି ଆପଣାଇବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି IRGC। ଏହା ସହ ଇରାନ ପକ୍ଷରୁ ଏକ ‘ଷ୍ଟ୍ରାଟେଜିକ୍ ସରପ୍ରାଇଜ୍’ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସହଯୋଗୀ ଦେଶ ଓମାନକୁ ମଧ୍ୟ ସାମରିକ ଆକ୍ରମଣର ଧମକ ଦେଇଛନ୍ତି । ଓମାନ ଏବେ ଇରାନ ସହ ଆଲୋଚନା କରି ହର୍ମୁଜ୍ ପ୍ରଣାଳୀ ଦେଇ ପୁଣି ସୁରକ୍ଷିତ ଜାହାଜ ଚଳାଚଳ ଆରମ୍ଭ କରିବାକୁ ଉଦ୍ୟମ କରୁଛି । ଇରାନ ଓ ଓମାନ ଏନେଇ ଏକ ଟ୍ରାନ୍ ଜିଟ୍ ରୁଟ୍ ବ୍ୟବସ୍ଥା ଉପରେ ବୁଝାମଣାରେ ପହଞ୍ଚିଥିବା କହିଛନ୍ତି ।
କିନ୍ତୁ ଆମେରିକାର ଇରାନ ନୀତି ଓ ହର୍ମୁଜ୍ ପ୍ରଣାଳୀକୁ ନେଇ ଚାଲିଥିବା ଆଲୋଚନାରେ ଓମାନ ବାଧା ସୃଷ୍ଟି କଲେ ତାହାର ପରିଣାମ ଗୁରୁତର ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।