ଜେନେଭାସ୍ଥିତ ଜାତିସଂଘକୁ ପାଞ୍ଚଟି ମୟୂର ଉପହାର ଦେଲା ଭାରତ
ଜାତିସଂଘରେ ଭାରତର ’ମୟୂର କୂଟନୀତି’। ଭାରତ ପକ୍ଷରୁ ଜାତିସଂଘର ଜେନେଭାସ୍ଥିତ କାର୍ଯ୍ୟାଳୟକୁ ଦିଆଯାଇଛି ପାଞ୍ଚଟି ମୟୂର ଉପହାର। ଏହି ପାଞ୍ଚଟି ମୟୂର ମଧ୍ୟରେ ଚାରିଟି ନୀଳ ମୟୂର ଥିବା ବେଳେ ଗୋଟିଏ ବିରଳ ଧଳା ମୟୂର ରହିଛି।ଗତ ଶୁକ୍ରବାର ଦିନ ଆୟୋଜିତ ଏକ ବିଶେଷ ସମାରୋହରେ ଜେନେଭାସ୍ଥିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଅରିନ୍ଦମ ବାଗଚି ୟୁଏନଓଜିର ମହାନିର୍ଦ୍ଦେଶକ ତାତ୍ୟାନା ବାଲୋବାୟାଙ୍କୁ ଔପଚାରିକତାର ସହ ଏହି ମୟୂର ହସ୍ତାନ୍ତର କରିଛନ୍ତି । ଏହି ଉପହାର ପ୍ରଦାନ ଦେଶର ସମୃଦ୍ଧ ପ୍ରାକୃତିକ ଐତିହ୍ୟ ଏବଂ ବିବିଧତା ପ୍ରତି ପ୍ରତିବଦ୍ଧତାର ଏକ ନିଦର୍ଶନ । 4ଟି ନୀଳ ମୟୂର ଏବଂ ଗୋଟିଏ ଧଳା ପୁଚ୍ଛ ଥିବା ମୟୂର ଜାତିସଂଘ ସହ ଜଡିତ ନୀଳ ଓ ଧଳା ରଙ୍ଗର ପ୍ରତୀକ ଅଟେ ।ଭାରତ ପକ୍ଷରୁ ଦ୍ୱାତୀୟ ଥର ପାଇଁ ୟୁଏନଓଜିକୁ ଏପରି ମୟୂର ଉପହାର ପ୍ରଦାନ କରାଯାଇଛି । 1981ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦିଲ୍ଲୀ ଚିଡ଼ିଆଖାନାରୁ ପ୍ରଜନନକ୍ଷମ ଏକ ଜୋଡା ମୟୂର ପଠାଇଥିଲେ ।