ଏଗ୍ରିଷ୍ଟେକ୍ ID ପାଇଁ ଚାଷୀଙ୍କ ପାଖକୁ ଯିବେ ଅଧିକାରୀ, ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟର ଚାଷୀଙ୍କୁ ଏବେ ମିଳିବ ଏକ ନୂଆ ପରିଚୟ । ଆଧାର କାର୍ଡ ଭଳି ପ୍ରତ୍ୟେକ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ଏଗ୍ରିଷ୍ଟେକ (Agristack) ID’ ପ୍ରସ୍ତୁତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି ।ଯେଉଁ ଚାଷୀମାନେ ସମବାୟ ସଂସ୍ଥାକୁ ଆସିପାରିବେ ନାହିଁ, ସେମାନଙ୍କ ଘରେ ପହଞ୍ଚି ଅଧିକାରୀମାନେ ID ପ୍ରସ୍ତୁତ କରିବେ।ଏହି ପ୍ରକ୍ରିୟାରେ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ସହଯୋଗ କରିବେ। ଏଗ୍ରିଷ୍ଟେକ୍ ID ଜେନେରେଟ୍ ହେବା ପରେ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ଚାଷୀ ପରିଚୟ ପତ୍ର ମିଳିବ। ଏହି ପରିଚୟ ପତ୍ରରେ ଚାଷୀଙ୍କ ଚାଷ ସମ୍ପର୍କିତ ବିଭିନ୍ନ ତଥ୍ୟ ସହ ଚାଷ ଋଣ, ବିହନ, ସାର ଆଦି ସମ୍ପର୍କିତ ସୂଚନା ରହିବ। ଆବଶ୍ୟକ ପଡ଼ିଲେ ଚାଷୀ ପଞ୍ଜିକରଣର ସମୟସୀମା ବଢ଼ାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏପରିକି ବିଦେଶରେ ରହୁଥିବା ଚାଷୀମାନେ ମଧ୍ୟ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଆବଶ୍ୟକ ପ୍ରକ୍ରିୟାରେ ଆଖି ସ୍କାନ୍ ମଧ୍ୟ କରାଯାଇପାରିବ।ଏହି ପ୍ରକ୍ରିୟାରେ ଆହୁରି ଏକ ବଡ଼ ସୁବିଧା ରଖାଯାଇଛି । ବିଦେଶରେ ରହୁଥିବା ଚାଷୀମାନେ ମଧ୍ୟ ଭିଡିଓ କନଫରେନ୍ସିଂ (VC) ମାଧ୍ୟମରେ ନିଜର ପଞ୍ଜିକରଣ କରିପାରିବେ ଏବଂ ଆଖି ସ୍କାନ (Eye Scan) ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ କରିପାରିବେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଚାଷୀ ପଞ୍ଜିକରଣ ନେଇ କୌଣସି ସମସ୍ୟା ହେବ ନାହିଁ। ଧାନ ପଞ୍ଜିକରଣ ଓ ଚାଷୀଙ୍କ ସମସ୍ୟାକୁ ନେଇ ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଉପସ୍ଥିତ ଥିଲେ।ଖରିଫ ଧାନ ପଞ୍ଜିକରଣ ଆରମ୍ଭ ହୋଇଥିବାରୁ ପଞ୍ଜିକରଣ ସମୟରେ ଦେଖାଦେଉଥିବା ସମସ୍ୟା, ଏଗ୍ରିଷ୍ଟେକ୍ ଆଇଡ଼ି ଜେନେରେଟ୍ରେ ଅସୁବିଧା ଏବଂ ବନ୍ୟା ଯୋଗୁଁ ଚାଷୀଙ୍କ ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଥିଲା।