ଆଜି ଅନ୍ତର୍ଜାତୀୟ ‘ବ୍ୟାଘ୍ର ଦିବସ
ଆଜି ହେଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ (International Tiger Day) । ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ବିଶ୍ୱବ୍ୟାପୀ ଏହି ଦିନ ଭାବେ ପାଳନ କରାଯାଏ ।ଏହି ଦିନଟିକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଘଙ୍କ ସୁରକ୍ଷା, ସେମାନଙ୍କ ବାସସ୍ଥାନ ସଂରକ୍ଷଣ ଏବଂ ସେମାନଙ୍କ ସଂଖ୍ୟା ହ୍ରାସ ପାଉଥିବା ନେଇ ବିଶ୍ୱବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।ସାରା ବିଶ୍ବରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି । ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି ।ବାଘ ବିରାଡି ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏକ ବୟଷ୍କ ବାଘର ଓଜନ ପ୍ରାୟ ୩୬୩ କିଲୋ ପର୍ଯ୍ୟନ୍ତ ହୋଇଥାଏ । (ଯାହା ଏକ ଦଶ ବର୍ଷ ଶିଶୁ ସହିତ ସମାନ) । ଏବଂ ଯାହାର ଲମ୍ବ ୩.୩ ମିଟର ପର୍ଯ୍ୟନ୍ତ ହୋଇଥାଏ ।ବାଘ ଏକ ମାଂସାସୀ ଜୀବ । ଗୋରୁ ଓ ହରିଣ,ବଣୁଆ ଘୁଷୁରୀ, ଆଣ୍ଟିଲୋପ୍ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରିଥାନ୍ତି ଏକା ହିଁ ଶିକାର କରିବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି ।ସାଧାରଣତଃ ଏକାପରି ନଜର ଆସନ୍ତି ବାଘ , ହେଲେ ପ୍ରତ୍ୟକଙ୍କ ଦେହରେ ନଜର ଆସୁଥିବା କଳାକଳା ରଙ୍ଗର ପଟା ପଟା ଦାଗ କିନ୍ତୁ ଅଲଗା ଅଲଗା ପାର୍ଟନର ଥାଏ ।ଆଜି ଦୁନିଆରେ ବାଘର ପାଞ୍ଚଟି ଉପଜାତି ଅଛି । ଏହି ଉପଜାତିଗୁଡ଼ିକ ହେଉଛି ବେଙ୍ଗଲ୍ ଟାଇଗର, ସାଉଥ୍ ଚାଇନା ବାଘ, ଇଣ୍ଡୋଚାଇନିଜ୍ ଟାଇଗର, ସୁମାତ୍ରା ଟାଇଗର ଏବଂ ଆମୁର ଟାଇଗର ଯାହାକୁ ସାଇବେରିଆ ବାଘ ବୋଲି ମଧ୍ୟ କୁହାଯାଏ । ବାଘର ତିନୋଟି ଉପଜାତି ବିଲୁପ୍ତ ହୋଇଯାଇଛି କେସ୍ପିୟନ୍, ବାଲି ଏବଂ ଜାୱନ ।ଶହେ ବର୍ଷ ତଳେ ଏସିଆ ମହାଦେଶରେ ପ୍ରାୟ ଲକ୍ଷେ ପାଖାପାଖି ବାଘ ବିଚରଣ କରୁଥିବା ବେଳେ ଅର୍ଥ ଲାଳସାରେ ଏହି ପ୍ରାଣୀଟିର ଶିକାର କରାଯାଉଥିବାରୁ ବର୍ତ୍ତମାନ ବିଶ୍ବରେ ମାତ୍ର ୪,୦୦୦ ସଂଖ୍ୟକ ବାଘ ବଞ୍ଚି ରହିଛନ୍ତି ।ତେଣୁ ସେମାନେ ସଂପୂର୍ଣ୍ଣ ଲୋପ ପାଇଯିବା ପୂର୍ବରୁ ସେମାନଙ୍କ ସଂରକ୍ଷଣ କରିବା ଜରୁରି ହୋଇପଡ଼ିଛି ।