କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍ ‘କୁ ନେଇ ଏତଲା ଦେଲେ ଦାନ ମାଝୀ
(ରାଜ୍ୟ କାହାଣୀ )ଭୁବନେଶ୍ୱରକାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରଯୋଜକ ମନୋଜ ବାଗ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାସ୍’ ତିଆରି କରିଛନ୍ତି । ଯାହା ତାଙ୍କ ଜୀବନ ସହ ଆଧାରିତ ।ଦାନ ମାଝୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଜୀବନର ଘଟଣା ଓ କାହାଣୀକୁ ଆଧାର କରି ଫିଲ୍ମ ତିଆରି କରାଯାଇଥିବାରୁ ତାଙ୍କର ସମ୍ମତି ନେବା ଆବଶ୍ୟକ ଥିଲା। ବିନା ଅନୁମତିରେ ତାଙ୍କ ଜୀବନକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ନେଇ ସେ ଆଇନଗତ ପଦକ୍ଷେପ ନେଇଛନ୍ତି।ପ୍ରଯୋଜକ ମନୋଜ ବାଗ କିମ୍ବା ଫିଲ୍ମ ସହ ଜଡ଼ିତ କୌଣସି ସଦସ୍ୟ ତାଙ୍କୁ ଆଦୌ ଯୋଗାଯୋଗ କରି ନାହାନ୍ତି । ତାଙ୍କ ବିନା ଅନୁମତିରେ ଫିଲ୍ମ ତିଆରି ହୋଇଛି । ଗତ ୨୦୧୬ ମସିହାରେ ଦାନ ମାଝୀଙ୍କ ଘଟଣା ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା। କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରୁ ସ୍ତ୍ରୀଙ୍କ ମୃତଦେହ ନେବା ପାଇଁ ଦାନ ମାଝୀଙ୍କୁ ଆମ୍ବୁଲାନ୍ସ ମିଳି ନଥିଲା । ଶେଷରେ ସେ ନିଜେ କାନ୍ଧରେ ମୃତଦେହ ବୋହି ଘରକୁ ଯାଇଥିଲେ। ସାଙ୍ଗରେ ତାଙ୍କର ସାନ ଝିଅ ମଧ୍ୟ ରହିଥିଲେ। ଏହି ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ମାନବିକତାର ଅସଲ ଚେହେରା ସାମ୍ନାକୁ ଆଣିଥିଲା। ସେତେବେଳେ ଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ସରକାରୀ ଓ ବେସରକାରୀ ସ୍ତରରେ ଦାନ ମାଝୀଙ୍କୁ ସହାୟତାର ସୁଅ ମଧ୍ୟ ଛୁଟିଥିଲା। ବର୍ତ୍ତମାନ ଏହି ଘଟଣାକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍’କୁ ନେଇ ଆଇନଗତ ବିବାଦ ଆରମ୍ଭ ହୋଇଛି ।