ସରକାରୀ କର୍ମଚାରୀ ବା ଅଧିକାରୀଙ୍କ ପାଇଁ କଡ଼ା ନିୟମ ଜାରି! ଦେଶ କିମ୍ବା ବିଦେଶ ଗସ୍ତର ୨୧ ଦିନ ପୂର୍ବରୁ ନେବାକୁ ପଡ଼ିବ ଅନୁମତି
ଭୁବନେଶ୍ୱର (ରାଜ୍ୟ କାହାଣୀ )ସରକାରୀ କର୍ମଚାରୀ ବା ଅଧିକାରୀଙ୍କ ପାଇଁ କଡ଼ା ନିୟମ ଜାରି!ଏଣିକି ବ୍ୟକ୍ତିଗତ କାରଣରେ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଗସ୍ତ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ । ଏହା ସହ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ମଞ୍ଜୁର କରାଇବା ସହ ସଦର ମହକୁମା ବା ହେଡ୍କ୍ୱାର୍ଟର୍ସ ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ ହେବ । କେବଳ ଜରୁରୀ ପରିସ୍ଥିତିରେ ଏହି ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ ।ଅର୍ଥ ବିଭାଗର ଅତିରିକ୍ତ ସଚିବ ସାଗରିକା ହୋତାଙ୍କ ପକ୍ଷରୁ ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ, ବାଣିଜ୍ୟିକ କର ଓ ଜିଏସଟି କମିଶନର, ଏମ୍ଡିଆର୍ଏଫ୍ଏମ୍, ଆକାଉଣ୍ଟସ୍ କଣ୍ଟ୍ରୋଲର, ଲୋକାଲ ଫଣ୍ଡ ଅଡିଟ୍, ଟ୍ରେଜେରୀ ଓ ଇନ୍ସପେକ୍ସନ ନିର୍ଦ୍ଦେଶକଙ୍କ ସମେତ ଅର୍ଥ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଏହି ନିର୍ଦ୍ଦେଶ ପଠାଯାଇଛି ।ଅତୀତରେ ଏହା ଲକ୍ଷ୍ୟ କରାଯାଇଛି ଯେ, ଅନେକ ଅଧିକାରୀ ଓ କର୍ମଚାରୀ ଏହି ନିୟମକୁ ଅବହେଳା କରି ପୂର୍ବାନୁମତି ବିନା ଯାତ୍ରା କରୁଛନ୍ତି । କିମ୍ବା ଯାତ୍ରାର ଅଳ୍ପ କିଛି ଦିନ ପୂର୍ବରୁ ଛୁଟି ଓ ଅନୁମତି ପାଇଁ ଆବେଦନ କରୁଛନ୍ତି । ଫଳରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରେ ସମୟ ମଧ୍ୟରେ ଛୁଟି ମଞ୍ଜୁର କରିବା ଓ ଅନୁମତି ପ୍ରଦାନ କରିବା ସମ୍ଭବ ହେଉନାହିଁ ।”