ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଜାରି ! ଏହା ଦେଖି ରାଗିଗଲେ କଂଗ୍ରେସ ଅଧ୍ୟକ୍ଷ

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଏକ ଭିଡିଓ ଜାରି କରି ସରକାରଙ୍କ ପ୍ରୟାସ ଏବଂ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ପ୍ରଶ୍ନପତ୍ର ଲିକ୍‌ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ଏହା ସହିତ ସେ ଫାଷ୍ଟ ଟ୍ରାକ କୋର୍ଟ ଗଠନ ପାଇଁ ଅଧିକାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏସବୁ ବିଷୟକୁ ନେଇ ରାହୁଲ ଗାନ୍ଧୀଙ୍କ ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ଜାତୀୟ ଅଧ୍ୟକ୍ଷ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ’ଯେତେବେଳେ ସଂସଦ ଚାଲୁଥାଏ, ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ସଂସଦର ପଟଳରେ ବିବୃତ୍ତି ଦେବାକୁ ପଡ଼ିଥାଏ, ବିଳମ୍ବିତ ରାତିରେ ଏକ ଭିଡିଓ ପ୍ରସ୍ତୁତ କରି, ସଂସଦ ବାହାରେ ଏକପାଖିଆ ‘ମନ କି ବାତ୍‌’ କରିବା ଉଚିତ୍‌ ନୁହେଁ।’”ରାହୁଲ ଗାନ୍ଧୀଙ୍କ ଦାବିକୁ ପୁଣି ଥରେ ଦୋହରାଇ ଖଡଗେ କହିଛନ୍ତି ଯେ ପ୍ରଥମେ ଛାତ୍ରଛାତ୍ରୀ ନିକଟରେ କ୍ଷମା ମାଗନ୍ତୁ । ଛାତ୍ରମାନଙ୍କ ସ୍ବରକୁ ଦମନ କରିବା ପାଇଁ ଯେଉଁମାନେ ଲାଠିଚାର୍ଜ ଏବଂ ପେଲେଟ୍‌ ଗନ୍‌ ବ୍ୟବହାର କରିଥିଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ ।

You might also like