ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା; ଡିଜିଟାଲ ପ୍ରମାଣ ମିଳିଛି: ଡିସିପି

ଭୁବନେଶ୍ୱର (ରାଜ୍ୟକାହାଣୀ )ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ ମିଳିଛି, ଏସ୍‌ଏଫ୍‌ଏଲ ରିପୋର୍ଟ ବି ହସ୍ତଗତ ହୋଇଛି। କିଛି ବ୍ୟକ୍ତିଙ୍କୁ ଉକ୍ତ ଘଟଣାରେ ପଚରାଉଚରା କରାଯାଇଛି, ମୋବାଇଲରୁ ବି କିଛି ତଥ୍ୟ ମିଳିଛି। ତଥାପି ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ଜଣାପଡ଼ିନାହିଁ। ଏବେ ବି ତଦନ୍ତ ଚାଲୁ ରହିଛି ବୋଲି ଡିସିପି କହିଛନ୍ତି।କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ କହିଛନ୍ତି, “ମହିଳା ଅଧିକାରୀଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିଛି ପ୍ରଥମ ପୋଲିସ ଟିମ୍ । ଦ୍ଵିତୀୟ ଟିମ୍ ମୃତ୍ୟୁ ପୂର୍ବର ଶେଷ ଯୋଗାଯୋଗକୁ ନେଇ ତଦନ୍ତ କରୁଛି ।ଜୁଲାଇ ୪ରେ ବିୟୁଟିଙ୍କ ମୃତ୍ୟୁ ପୂର୍ବରୁ ସେ କାହା ସହ କଥା ହୋଇଥିଲେ । କାହା ସହ ଚାଟ କିମ୍ବା ମେସେଜ୍ କରିଥିଲେ । ଏବେ ସେମାନଙ୍କୁ ପୋଲିସର ଦ୍ଵିତୀୟ ଟିମ୍ ପଚରାଉଚରା କରୁଛି । ସାଇଣ୍ଟିଫିକ୍ ଏବଂ ଡିଜିଟାଲ୍ ପ୍ରମାଣ ଉପରେ କାମ କରୁଛି ପୋଲିସର ତୃତୀୟ ସ୍ୱତନ୍ତ୍ର ଟିମ୍ ।ସୂଚନାଯୋଗ୍ୟ, ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ କିଛିଦିନ ତଳେ ଝୁଲନ୍ତା ଅବସ୍ଥାରେ ନିଜ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଥିଲା। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।ବିୟୁଟି ମହାନ୍ତି ପୂର୍ବରୁ କଟକର ମର୍କତନଗର ମହିଳା ଥାନା ସମେତ ବିଭିନ୍ନ ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ପୋଲିସ ସମସ୍ତ ଦିଗକୁ ନେଇ ଘଟଣାର ତଦନ୍ତ ଜାରି ରଖିଛି।

You might also like