ଓଡ଼ିଶା ସ୍ୱାଭିମାନ ମଞ୍ଚର ଦୁଇ ଛାୟା ମନ୍ତ୍ରୀଙ୍କ ଶପଥ
ଭୁବନେଶ୍ବର( ରାଜ୍ୟ କାହାଣୀ)ଭୁବନେଶ୍ଵର ଠାରେ ଓଡିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ଦୁଇ ଜଣ ଛାୟା ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ମଞ୍ଚ ପକ୍ଷରୁ ଆୟୋଜିତ ଶପଥ ଗ୍ରହଣ ଓ ସଂକଳ୍ପ ପାଠ ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ରବିଦାସଙ୍କ ସମେତ ଅନେକ ଶିକ୍ଷାବିତ୍ ଓ ବରିଷ୍ଠ ନାଗରିକମାନେ ଛାୟା ଭତ୍ତା ମନ୍ତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ଓ ଛାୟା ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଅନିଲ ମିଶ୍ରଙ୍କୁ ଶପଥ ଗ୍ରହଣ କରାଇବା ସହ ସଂକଳ୍ପ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରଥମ ଛାୟା ଭତ୍ତା ମନ୍ତ୍ରୀ ପ୍ରତ୍ୟେକ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ସନମ୍ମାର ସହ ଘରେ କିଭଳି ପହଞ୍ଚି ପାରିବ ସେ ନେଇ କାମ କରିବେ। ଠିକ୍ ସେହିଭଳି ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ନିଯୁକ୍ତ ହୋଇଥିବା ରାଜ୍ୟର ପ୍ରଥମ ଛାୟା ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଅନିଲ ମିଶ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମକୁ ନେଇ ଏକ ଜନତା ସଂସ୍କରଣ ଛାପିବା ନେଇ କାମ କରିବେ। ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ସରକାର ଏବଂ ବିଭିନ୍ନ ରାଜନୈତିକ ଦଳ ଗୁଡିକର ଭୂମିକା କଣ ହେବା ଜରୁରୀ, ତାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ନେତ୍ରୀ ଇପ୍ସିତା ସାହୁ, କଂଗ୍ରେସ ନେତ୍ରୀ ମନୀଷା ଦାସ ପଟ୍ଟନାୟକ, ଆମ୍ ଆଦମୀ ପାର୍ଟିର ସନ୍ଦିପ୍ତ ଦାସ ଓ ଏଆଇଏସଫ ନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ସେମାନଙ୍କ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକା ସୁପ୍ରିୟା ଦାସ ସଂଚାଳନ କରିଥିଲେ। ତେବେ ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଐତିହାସିକ କାର୍ଯ୍ୟକ୍ରମରେ ରାଜ୍ୟର ରାଷ୍ଟ୍ରିୟ ମାନବାଧିକାର ସାମୁଖ୍ୟ, ରାଷ୍ଟ୍ରିୟ ଅଭିଭାବକ ସାମୁଖ୍ୟ, ଓ ରାଜ୍ୟ ଘରୋଇ ଶିକ୍ଷକ ସଂଘ ପ୍ରମୁଖ ସହଭାଗିତା କରିଥିବାରୁ ଓଡ଼ିଶା ସ୍ୱାଭିମାନ ମଞ୍ଚର ରାଜ୍ୟ ଆବାହକ ସୁଧାଂଶୁ ପାତ୍ର କୃତଜ୍ଞତା ଜଣାଇଥିଲେ।