ଜାହାଜ ଉପରକୁ ମିଶାଇଲ ମାଡ଼ କଲା ଇରାନ୍, ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ

ହର୍ମୁଜରେ ଘନେଇଲାଣି ମହାସଙ୍କଟ। ବିପଦରେ ଭାରତୀୟ ନାବିକ। ୟୁଏଇ (UAE)ର ଦୁଇଟି ତେଲ ଟ୍ୟାଙ୍କର ଉପରେ ଇରାନ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଛି। ଏହି ଭୟଙ୍କର ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । UAE ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ‘ମୋମ୍ବାସା’ ଏବଂ ‘ଅଲ୍ ବାହିୟା’ ନାମକ ଦୁଇଟି ତେଲ ଟାଙ୍କରକୁ ଲକ୍ଷ୍ୟ କରି ଇରାନ ଦୁଇଟି ଶକ୍ତିଶାଳୀ କ୍ରୁଜ୍ ମିସାଇଲ୍ ମାଡ଼ କରିଥିଲା । ଆକ୍ରମଣ ଯୋଗୁଁ ଦୁଇଟି ଯାକ ଜାହାଜରେ ଭୟାବହ ନିଆଁ ଲାଗିଯାଇଥିଲା, ତେବେ କର୍ମଚାରୀମାନଙ୍କ ଆପ୍ରାଣ ଚେଷ୍ଟା ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଛି । ‘ମୋମ୍ବାସା’ ଜାହାଜରେ କାର୍ଯ୍ୟରତ ଜଣେ ଭାରତୀୟ ସେଲରଙ୍କର ଏହି ଆକ୍ରମଣରେ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରେ ୬ ଜଣ ଭାରତୀୟ ଏବଂ ୨ ଜଣ ୟୁକ୍ରେନ ନାଗରିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ଏହି ଘଟଣାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସାମୁଦ୍ରିକ ଆଇନର ଉଲ୍ଲଂଘନ ଦର୍ଶାଇ ୟୁଏଇ ଏହାକୁ କଡ଼ା ନିନ୍ଦା କରିଛି। ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ନିଜର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ସାମୁଦ୍ରିକ ସ୍ୱାର୍ଥର ରକ୍ଷା ପାଇଁ ଦେଶ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ଏବଂ ଏହାର ଉଚିତ୍ ଜବାବ ଦେବାର ସମ୍ପୂର୍ଣ୍ଣ ଅଧିକାର ୟୁଏଇ ପାଖରେ ରହିଛି। ଆଞ୍ଚଳିକ ସ୍ଥିରତାକୁ ନଷ୍ଟ କରୁଥିବା ଯେକୌଣସି ଶକ୍ତି ବିରୋଧରେ ୟୁଏଇ ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ ଦେବ ବୋଲି କହିଛି।।

You might also like