ଆସୁଛି ବ୍ୟାକ୍-ଟୁ-ବ୍ୟାକ୍ ଲଘୁଚାପ, ୧୪ରେ ପ୍ରଥମ, ୧୯ରେ ଦ୍ଵିତୀୟ ଲଘୁଚାପ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ପୁଣି ବଙ୍ଗୋପସାଗରରେ ଆସୁଛି ଲଘୁଚାପ। ଉତ୍ତର ଓଡ଼ିଶା-ଝାଡ଼ଖଣ୍ଡ ପାଖରେ ସ୍ଥଳଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ୧୨/୧୩ ତାରିଖବେଳକୁ । ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୪ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅଧିକ ସମୟ ରହିବନି । ତଥାପି ୧୩ରୁ ୧୫ ଭଲ ବର୍ଷା ହେବ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ । ଏହା ପରେ ବର୍ଷା କମିଲେ ମଧ୍ୟ ପାଗ ମୁଖ୍ୟତଃ ମେଘୁଆ ରହିବା ସମ୍ଭାବନା ଅଛି । ପୁଣି ୧୯ ତାରିଖବେଳକୁ ଆଉ ଏକ ଲଘୁଚାପ ହୋଇପାରେ ସେଇ ସମାନ ଅଞ୍ଚଳ ପାଖରେ । ଏହା ପ୍ରଭାବରେ ୧୮ରୁ ୨୨ ଯାଏ ବର୍ଷା ରହିପାରେ । ଦ୍ୱିତୀୟ ଲଘୁଚାପ ପ୍ରଭାବରେ ପୁଣି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ।ନବରଙ୍ଗପୁର, ନୂଆପଡ଼ାରେ ପବନ ଓ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଆଦି ଜିଲାରେ ଝଟକା ପବନ ସହିତ ଘଡ଼ଘଡ଼ି ଓ ବର୍ଷା ହେବାର ଆକଳନ କରାଯାଇଛି।