ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡିତ ଶବ୍ଦାବଳୀର ‘କପି ରାଇଟ୍ସ’ ଆବେଦନ କଲା ଶ୍ରୀମନ୍ଦିର ପ୍ରଶାସନ
ଭୁବନେଶ୍ୱର (ରାଜ୍ୟକାହାଣୀ )ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ନାମ ନେଇ ବିକ୍ରି କରିପାରିବେ ନାହିଁ । ଏହା ଉପରେ ରୋକ୍ ଲାଗିବ । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡ଼ିତ ଶବ୍ଦାବଳୀର ପେଟେଣ୍ଟ ବା କପି ରାଇଟ୍ସ ପାଇଁ ଆଇପି ଇଣ୍ଡିଆରେ ଆବେଦନ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ।ଇଣ୍ଡିଆନ ପେଟେଣ୍ଟ ଅଫିସର୍ କଣ୍ଟ୍ରୋଲର ଜେନେରାଲଙ୍କୁ ଗତ ଜୁନ୍ ୧ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ପତ୍ର ଲେଖି ଯଥାଶୀଘ୍ର ଏନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିର ସହ ଜଡ଼ିତ ନାମ ବା ଶବ୍ଦାବଳୀର ପେଟେଣ୍ଟ ମଞ୍ଜୁରୀ ପରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିବ ଏହାର କପି ରାଇଟ୍ସ । ଫଳରେ ମୂଳ ପିଠରେ ହିଁ କେବଳ ବ୍ୟବହୃତ ହୋଇପାରିବ। ଗତ କିଛିଦିନ ତଳେ ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା । ଏହାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା । ଏଣୁ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡ଼ିତ ନାମ ତଥା ଶବ୍ଦାବଳୀ ଉପରେ ପେଟେଣ୍ଟ ମାନ୍ୟତା ମିଳିବା ପରେ ଶ୍ରୀମନ୍ଦିର, ମହାପ୍ରସାଦ, ଆନନ୍ଦ୍ ବଜାର, ନୀଳଚକ୍ର ଇତ୍ୟାଦି ଶବ୍ଦର ଅପବ୍ୟବହାର ଉପରେ ରୋକ୍ ଲାଗିବ । କେବଳ ଶ୍ରୀମନ୍ଦିର ତଥା ମୂଳପୀଠରେ ହିଁ ଏହି ସବୁ ବ୍ୟବହାର ହୋଇପାରିବ । ଥରେ ପେଟେଣ୍ଟ ମିଳିଲେ ନିୟମ ଅନୁସାରେ ଏହା ଆସନ୍ତା ୨୦ ବର୍ଷ ପାଇଁ କପି ରାଇଟ୍ସ ରହିବ ।