ସରକାରୀ କାମ ପାଇଁ ଇଭି କିଣିବାକୁ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ବ୍ୟବହାର ପାଇଁ ନିର୍ଦ୍ଦେଶାବଳି ଦିଆଯାଇଛି ।ଇଭି କିଣିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଦିଆଯାଇଛି । ଅର୍ଥ ବିଭାଗର ନିର୍ଦ୍ଦେଶ ମୁତାବକ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟ ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଯାନବାହନ(EV) କିଣିବା ନେଇ ଅନୁମୋଦନ କରାଯାଇଛି।ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ମନ୍ତ୍ରୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ EV ଗାଡ଼ି କିଣା ଯାଇପାରିବ। ଏପରିକି ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବସ୍ତରୀୟ ଅଧିକାରୀଙ୍କ ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ EV ଯାନବାହନ କିଣିବା ନେଇ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିଲା ଜଜ୍‌, ଜିଲାପାଳ ଏବଂ ଏସ୍‌ପିଙ୍କ ଲାଗି EV ଯାନବାହନ କିଣାଯାଇପାରିବ। ସରକାରୀ ବ୍ୟବହାର ପାଇଁ କେବଳ ଟାଟା, ମହିନ୍ଦ୍ରା ଓ ମାରୁତି ଦ୍ୱାରା ନିର୍ମିତ ଇଲେକ୍ଟ୍ରିକ୍ ଗାଡ଼ି ହିଁ କିଣାଯାଇପାରିବ। କୌଣସି ବି ଇଭି କିଣିବା ପୂର୍ବରୁ ଅର୍ଥ ବିଭାଗର ପୂର୍ବ ସହମତି ବା ଅନୁମତି ନେବା ଅପରିହାର୍ଯ୍ୟ ରହିଛି।ସରକାରୀ ଗାଡ଼ି ଗୁଡ଼ିକର ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ଓ ସେଗୁଡ଼ିକୁ ସ୍କ୍ରାପ୍ ବା ଅଚଳ ଘୋଷଣା କରାଯିବା ପରେ ହିଁ ନୂଆ ଗାଡ଼ି କିଣାଯାଇପାରିବ। ରାଜ୍ୟରେ “ୱାନ୍ ଅଫିସର ୱାନ୍ ଭେହିକିଲ୍” ନୀତିକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଆଜିଠୁ କେବଳ ଅସାଧାରଣ ବା ଜରୁରୀ ପରିସ୍ଥିତିକୁ ବାଦ୍ ଦେଲେ ପେଟ୍ରୋଲ୍ କିମ୍ବା ଡିଜେଲ୍ ଗାଡ଼ି କିଣିବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି। ଏହି ନୂଆ ନିୟମ ସମସ୍ତ ସରକାରୀ ବିଭାଗ, ସରକାରୀ ଉଦ୍ୟୋଗ, ସ୍ୱାୟତ୍ତ ଶାସିତ ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ସରକାରୀ ସୋସାଇଟି ଗୁଡ଼ିକ ପାଇଁ ସମାନ ଭାବେ ଲାଗୁ ହେବ।

You might also like