ଏଣିକି ପ୍ରେସକ୍ରିପସନ ଦେଖାଇଲେ ହିଁ ମିଳିବ ‘ପ୍ରେଗାବାଲିନ୍‌’

ସ୍ନାୟୁଗତ ଯନ୍ତ୍ରଣା ପାଇଁ ବିକ୍ରି ହେଉଥିବା ‘ପ୍ରେଗାବାଲିନ’ ଔଷଧକୁ ଆଉ ଔଷଧ ଦୋକାନୀମାନେ ଅବାଧରେ ବିକ୍ରି କରିପାରିବେ ନାହିଁ । କେବଳ ପ୍ରେସକ୍ରିପସନ ଦେଖାଇଲେ ହିଁ ଏହି ଔଷଧ ମିଳିବ । ଏନେଇ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୂଆ ନିୟମ ଲାଗୁ ହେବ।ଔଷଧ ନିର୍ମାତା, ବିତରକ, ହୋଲସେଲର, ରିଟେଲର ଏବଂ ଫାର୍ମାସିଷ୍ଟଙ୍କ ସମେତ ସମସ୍ତ ଅଂଶୀଦାରଙ୍କୁ ବିଜ୍ଞପ୍ତିର ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ପ୍ରେଗାବାଲିନ୍’କୁ ଯୁବ ପିଢ଼ିଙ୍କ ଦ୍ୱାରା ନିଶା ପାଇଁ ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ଏଥିରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।ଡ୍ରଗ୍ସ ଏବଂ କସମେଟିକ୍ସ ନିୟମ ୧୯୪୫ ଅଧୀନରେ ପୂର୍ବରୁ ଥିବା ‘ସିଡ୍ୟୁଲ୍ ଏଚ୍’ରେ ଥିବା ପ୍ରେଗାବାଲିନ୍କୁ ‘ସିଡ୍ୟୁଲ୍ ଏଚ୍୧’ ଅଧୀନକୁ ଅଣାଯାଇଛି । ନୂଆ ସଂଶୋଧିତ ବର୍ଗୀକରଣ ଅନୁଯାୟୀ, ପ୍ରେଗାବାଲିନ୍ କେବଳ ପଞ୍ଜୀକୃତ ଚିକିତ୍ସକଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସକ୍ରିପସନ୍ ଦେଖାଇବା ପରେ ହିଁ ଦୋକାନୀ ବିକ୍ରି କରିପାରିବେ । ଖୁଚୁରା ବ୍ୟବସାୟୀ ପ୍ରେସକ୍ରିପସନ୍ ଓ ବିକ୍ରିର ବିବରଣୀ ଲିପିବଦ୍ଧ କରିବା ପାଇଁ ଏକ ସ୍ୱତନ୍ତ୍ର ରେଜିଷ୍ଟର ରଖିବେ । ଔଷଧ କମ୍ପାନି ଉତ୍ପାଦ ପ୍ୟାକେଜିଂ ଉପରେ ସ୍ପଷ୍ଟ ଭାବରେ ସିଡ୍ୟୁଲ୍ ଏଚ୍-୧ ଔଷଧ ବୋଲି ଚେତାବନୀ ଲେବଲ୍ ପ୍ରଦର୍ଶନ କରିବେ ।

You might also like