ଟ୍ରେନ୍ରେ ଯୁବତୀଙ୍କୁ ଅସଦାଚରଣ; ବିରୋଧ କରିବାରୁ ଟ୍ରାକ୍କୁ ଠେଲିଦେଲେ ଅଭିଯୁକ୍ତ
ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଟ୍ରେନ୍ରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ପରେ ତାଙ୍କୁ ରେଳ ଧାରଣାକୁ ଠେଲିଦେଇଛନ୍ତି ଜଣେ ଯୁବକ । ଏହି ଘଟଣାରେ ଯୁବତୀଙ୍କ ବାମ ହାତ କହୁଣି ତଳୁ କଟିଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ବୋରିଭାଲିରୁ ଭିରାର ଅଭିମୁଖେ ଯାଉଥିବା ଏକ ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ବାରମ୍ବାର ଅସଦାଚରଣ କରିବା ସହ ଅଶୋଭନୀୟ ଭାବେ ସ୍ପର୍ଶ କରୁଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣକ ନିଜ ଚପଲରେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଟ୍ରେନଟି ନାଇଗାଓଁ ଷ୍ଟେସନରେ ପହଞ୍ଚିବା ପରେ ମଧ୍ୟ ଅଭିଯୁକ୍ତ ଜଣକ ତାଙ୍କୁ ଅସଦାଚରଣ ଜାରି ରଖିଥିଲା ଏବଂ ଝଗଡ଼ା ମଧ୍ୟରେ ଯୁବତୀଙ୍କୁ ଠେଲି ଦେଇଥିଲା। ଫଳରେ ସେ ଦୁଇଟି ବଗି ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ଖସି ପଡ଼ିଥିଲେ। ସେ ପ୍ଲାଟଫର୍ମ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍ ଟ୍ରେନଟି ଚାଲିବାକୁ ଆରମ୍ଭ କରିଥିଲା ଏବଂ ତାଙ୍କ ବାମ ହାତଟି ଚକ ତଳେ ଚାପି ହୋଇଯାଇଥିଲା। ଫଳରେ କହୁଣୀ ନିକଟରୁ ତାଙ୍କ ହାତଟି ସମ୍ପୂର୍ଣ୍ଣ କଟି ଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପୁଲିସ କର୍ମଚାରୀ ଏବଂ ଅନ୍ୟ ଯାତ୍ରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି କୋଳାହଳର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲା, ମାତ୍ର ପୁଲିସ ତ୍ୱରିତ ପଦକ୍ଷେପ ନେଇ କିଛି ଘଣ୍ଟା ମଧ୍ୟରେ ତାକୁ ଗିରଫ କରିଛି। ନଭେମ୍ବର ୬ ତାରିଖରେ ଭାଇନ୍ଦର ରେଳବାଇ ପୋଲିସ ଷ୍ଟେସନ୍ରେ ଏନେଇ ମାମଲା ରୁଜୁ ହୋଇଥିଲା। ପ୍ରଥମେ ଭାରତୀୟ ନ୍ୟାୟ ସଂହିତାର ଧାରା ୭୪, ୧୧୭(୨) ଓ ୩୫୨ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ତେବେ ହତ୍ୟା ଉଦ୍ୟମ ଧାରା ଲଗାଯାଇନଥିବାରୁ ପୀଡ଼ିତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ।