ଜମ୍ମୁ-କଶ୍ମୀରରେ ଚାଞ୍ଚଲ୍ୟ: ନିଖୋଜ ଦୁଇ SPOଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ଜମ୍ମୁ-କାଶ୍ମୀର କିସ୍ତୱାଡ଼ ଜଙ୍ଗଲରୁ ନିଖୋଜ ଦୁଇ ଏସପିଓଙ୍କ ମୃତଦେହ ଠାବ । ଦୁଇ ଜଣ ସ୍ବତନ୍ତ୍ର ପୁଲିସ ଅଫିସରଙ୍କ ମୃତଦେହ ଦଛାନ ଅଞ୍ଚଳରୁ ମିଳିଛି ।ଦୁହିଁଙ୍କ ଶରୀରରେ ଏକାଧିକ ଗୁଳିମାଡ଼ ଚିହ୍ନ ରହିଥିବା ଜଣାପଡ଼ିଛି । ତେବେ ସେମାନଙ୍କ ପାଖରେ ଥିବା ସର୍ଭିସ୍ ବନ୍ଧୁକ ମିଳିନାହିଁ। ଏହି ଘଟଣାକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଚିନ୍ତା ବଢ଼ିଛି ।ସୂଚନା ଅନୁସାରେ, କିସ୍ତୱାଡ଼ ଜିଲ୍ଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରେ ବୁଧବାର ଦୁଇ ଜଣ SPO ନିଖୋଜ ହୋଇଯାଇଥିଲେ । ବାବି ଚନ୍ଦ ଓ ରଶପାଲ କୁମାର ନାମକ ଏହି ଦୁଇ ଅଧିକାରୀ କିୟାର ଗାଁରେ ଥିବା କ୍ୟାମ୍ପରୁ ଧରନା-ମରୱାହସ୍ଥିତ ସେନା ଚେକ୍‌ପୋଷ୍ଟକୁ ଯାଉଥିଲେ। ହେଲେ ନିର୍ଦ୍ଧାରିତ ସ୍ଥାନରେ ସେମାନେ ପହଞ୍ଚି ନଥିଲେ । ପରେ ଉଭୟଙ୍କ ମୋବାଇଲ୍ ଫୋନ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା ।ଖବର ମିଳିବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଡ୍ରୋନ୍, ସ୍ନିପର ଡଗ୍ ସହାୟତାରେ ଚାଲିଥିଲା ଅପରେସନ୍ । ବହୁ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ ମିଳିଛି । ଅତି ନିକଟରୁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି ।ଗତକାଲି କୁଲଗାମର ଅଖରାନ୍ ନିକଟରେ ସିଆରପିଏଫ୍ ଯବାନଙ୍କ ଉପରେ ସନ୍ଦିଗ୍ଧ ଆତଙ୍କବାଦୀ ଆସି ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ସୁରକ୍ଷା କର୍ମୀ ଆତଙ୍କୀଙ୍କୁ ଖୋଜିବାରେ ଲାଗିଥିବା ବେଳେ ଆଜି ଦୁଇ ଏସଓପିଙ୍କ ମୃତଦେହ ମିଳିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ।

You might also like