ଅଧା ଦିଲ୍ଲୀର ସ୍ଥିତି ଭୟାନକ,ଦିଲ୍ଲୀର ୪୪% ଜଳ ନମୁନା ସୁରକ୍ଷା ପରୀକ୍ଷାରେ ଫେଲ୍
ବାୟୁ ପରେ ଏବେ ଦିଲ୍ଲୀରେ ଜଳ ଚିନ୍ତା। ରାଜଧାନୀବାସୀ ପିଉଛନ୍ତି ବିଷାକ୍ତ ଜଳ।ଦିଲ୍ଲୀର ୧୮ଟି ସ୍ଥାନରେ ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ସାତ ଦିନିଆ ଜଳ ନମୁନା ପରୀକ୍ଷା କରାଯାଇଥିଲା। ଶ୍ରୀରାମ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ସହିତ କରାଯାଇଥିବା ଏହି ଅଧ୍ୟୟନରୁ ପ୍ରଦୂଷଣର ସ୍ତର ଚିନ୍ତାଜନକ ରହିଛି। ପରୀକ୍ଷିତ ହୋଇଥିବା ୮ଟି ନମୁନାରେ ମୋଟ କୋଲିଫର୍ମ କିମ୍ବା ଇ. କୋଲି ପଜିଟିଭ୍ ମିଳିଛି, ଯାହା ମଳ ପ୍ରଦୂଷଣର ସୂଚକ। ଦିଲ୍ଲୀର ଜଳ ଯୋଗାଣ ନେଟୱାର୍କ ୧୫,୪୦୦ କିଲୋମିଟରରୁ ଅଧିକ ଲମ୍ବା। ଅନେକ ପାଇପଲାଇନ ପୁରୁଣା। ୫,୨୦୦ କିଲୋମିଟରରୁ ଅଧିକ ପାଇପଲାଇନ ୩୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି।ଘରୋଇ ଟ୍ୟାପ୍ ସଂଯୋଗରେ, ବିଶେଷକରି ଆଖପାଖ ପଡ଼ୋଶୀ ପାଇପ୍ ଲାଇନଗୁଡ଼ିକରେ ପ୍ରଦୂଷଣ ଅଧିକାଂଶ ପରିମାଣରେ ଦେଖାଯାଇଥିଲା। ପଶ୍ଚିମ ଦିଲ୍ଲୀର ରାଜୌରୀ ଗାର୍ଡେନରେ ପ୍ରଦୂଷଣର ସର୍ବାଧିକ ସ୍ତର ଥିଲା, ତା’ପରେ ଚିଲ୍ଲା ଗ୍ରାମ ଏବଂ ମୟୂର ବିହାର ଫେଜ୍ ୩ରେ ଥିବା ଡିଡିଏ ଫ୍ଲାଟରେ ଜଳ ପ୍ରଦୂଷିତ ଜଳ ନମୁନା ମିଳିଥିଲା।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ ଆବାସିକ ନମୁନା ମଧ୍ୟରୁ ତିନୋଟି ସ୍ଥାନର ପାଣି ଗଧୋଇବା ଉପଯୋଗୀ ବି ନୁହେଁ। ପାଣି ଭେଣ୍ଡିଂ ମେସିନ୍ କିମ୍ବା ଡିଜେବି ଟ୍ୟାଙ୍କର୍ ଭଳି ସାର୍ବଜନୀନ ଭାବରେ ଉପଲବ୍ଧ ଉତ୍ସଗୁଡ଼ିକରେ କୌଣସି ଜୀବାଣୁ ପ୍ରଦୂଷଣ ମିଳିଲା ନାହିଁ। ଦକ୍ଷିଣ ଏବଂ କେନ୍ଦ୍ରୀୟ ଦିଲ୍ଲୀର ଅନେକ ସ୍ଥାନରେ ମଧ୍ୟ ଜଳ ସଫା ମିଳିଥିଲା ।