ଷ୍ଟ୍ରେଟ ଅଫ ହରମୋଜକୁ ବନ୍ଦ କଲା ଇରାନ, ବୃଦ୍ଧି ହୋଇପାରେ ପେଟ୍ରୋଲ ଓ ଡିଜେଲ ଦାମ
ଇରାନ୍ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ । ଆକାଶ ମାର୍ଗରୁ ଇରାନର ସବୁ ଯୁଦ୍ଧ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ ହେବ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପାଖାପାଖି ୪୭ ବର୍ଷ ହେବ ଇରାନ ଆତଙ୍କବାଦ ମାଧ୍ୟମରେ ଆମେରିକାର ନାଗରିକଙ୍କୁ ହତ୍ୟା କରିଛି। ହଜାର ହଜାର ଆମେରିକୀଙ୍କ ରକ୍ତରେ ଖେଳିଛି ଇରାନ୍ । ଏବେ ସମୟ ଆସିଛି ତାର ସବୁ ଦୋଷକୁ ନେଇ ଦଣ୍ଡ ଦିଆଯିବ । ଅନ୍ୟପଟେ ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ । ବନ୍ଦ ହେଲା ୮୦% ଜାହାଜ ଚଳାଚଳ । ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର ।ହର୍ମୁଜ ପ୍ରଣାଳୀକୁ “ବନ୍ଦ” ବୋଲି ଘୋଷଣା କରିଛନ୍ତି ଇରାନର ସେନା ଅଧିକାରୀ । ଯଦି କୌଣସି ଜାହାଜ ଏହି ବାଟ ଦେଇ ଯିବାକୁ ଚେଷ୍ଟା କରେ ତେବେ ସେଥିରେ ନିଆଁ ଲଗାଇ ଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି । ଇରାନ ଉପରେ ହୋଇଥିବା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ମୃତ୍ୟୁ ଖବର ପରେ ଇରାନ ଏହି ପଦକ୍ଷେପ ନେଇଛି ।ସମୁଦ୍ର ପଥରେ ଜାହାଜ ଚଳାଚଳ ୮୦% କମିଯାଇଛି । ବଡ଼ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କ ଜାହାଜକୁ ଆଫ୍ରିକା ବାଟ ଦେଇ ବୁଲାଇ ନେଉଛନ୍ତି । ବୀମା କମ୍ପାନୀଗୁଡ଼ିକ ଏହି ଅଞ୍ଚଳ ପାଇଁ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି । ଯାହାଫଳରେ ବ୍ୟବସାୟିକ ଜାହାଜ ଚଳାଚଳ ଅସମ୍ଭବ ହୋଇପଡ଼ିଛି। ସେପଟେ ଆମେରିକା ସେନା କହିଛି ଯେ ଇରାନ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । କିନ୍ତୁ ଆକ୍ରମଣ ଭୟରେ କେହି ଏହି ବାଟରେ ଯାଉନାହାନ୍ତି।