ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ

ଆଜି ଫଗୁ ଦଶମୀ। ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ଫଗୁ ବା ଅବିର ଦେବତାଙ୍କ ସେବାରେ ଲାଗେ। ଏହା ହେଉଛି ହୋଲି ପର୍ବର ପୂର୍ବ ପର୍ବ। ଆଜି ମହାପ୍ରଭୁ ଫଗୁ ଖେଳିବା ସହ ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଫଗୁ ଦଶମୀରେ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ଅବିର ଓ ଫଗୁ ଲାଗି କରାଯିବ । ଆଜି ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କର ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ । ଆସନ୍ତା ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହିତ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହେବେ। ପ୍ରତିଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯିବ ।

ଆଜି ମଧ୍ୟ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ। ସେପଟେ ଆସନ୍ତା ୨ ତାରିଖରେ ମେଣ୍ଢା ପୋଡ଼ି ଉତ୍ସବ ଅନୁଷ୍ଠିତ ହେବା ସହ ୩ ତାରିଖରେ ଦୋଳପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧା ବିଗ୍ରହ ସୁନାବେଶ ରେ ଦର୍ଶନ ଦେବେ।

You might also like