ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

କଳିଙ୍ଗନଗର ଅଞ୍ଚଳର ଜଣେ ମହିଳା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି । ସ୍ୱାମୀଙ୍କର ଦୁର୍ଘଟଣା ହୋଇଥିବା କହି ମହିଳାଙ୍କୁ ଡାକି ନେଇ ଚଣ୍ଡିଖୋଲସ୍ଥିତ ଏକ ପରିତ୍ୟକ୍ତ ଗୃହରେ ଗଣଦୁଷ୍କର୍ମ କରାଯାଇଛି ।ଏଭଳି ଏକ ଚାଞ୍ଚଲ୍ୟକର ଖବର ପୁଣିଥରେ ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଳିଙ୍ଗନଗର ପୁଲିସ । ସୂଚନା ଅନୁଯାୟୀ ଗତ ୧ ତାରିଖରେ ସ୍ୱାମୀଙ୍କ ଦେହ ଖରାପ ଓ ସେ ଚଣ୍ଡିଖୋଲରେ ଅଛନ୍ତି କହି କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଡାକିଥିଲେ ଅଭିଯୁକ୍ତ । ମହିଳା ଜଣକ ବ୍ୟସ୍ତ ହୋଇ ବସ ଯୋଗେ ଚଣ୍ଡିଖୋଲରେ ପହଞ୍ଚିଥିଲେ । ଅଭିଯୁକ୍ତ ବଡ଼ଚଣା ଥାନା ଅଞ୍ଚଳର ରାମଚନ୍ଦ୍ର ସାହୁ ଓ ଜେନାପୁର ଥାନା ଅଞ୍ଚଳର ଛବିନ୍ଦ୍ର ତରାଇ । ଉଭୟ ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ ।ପୀଡିତ ମହିଳାଙ୍କୁ ସ୍ୱାମୀଙ୍କ ପାଖକୁ ନେବାକୁ କହି ଏକ ମଟରସାଇକେଲ ଯୋଗେ ଚଣ୍ଡିଖୋଲ ନିକଟରେ ଥିବା ଏକ ପରିତ୍ୟକ୍ତ ବଙ୍ଗଳାକୁ ନେଇ ସେଠାରେ ଅଭିଯୁକ୍ତମାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।ପୀଡ଼ିତା ଏ ସଂପର୍କରେ ନିଜ ସଂପର୍କୀୟଙ୍କୁ ଫୋନ୍ କରି ଜଣାଇଥିଲେ । ତୁରନ୍ତ ସଂପର୍କୀୟ ଚଣ୍ଡିଖୋଲରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ସୁକିନ୍ଦା ଆଣିଥିଲେ । ପରେ ଅଭିଯୋଗ କରିବା ପାଇଁ ସୁକିନ୍ଦା ଥାନାକୁ ଯାଇଥିଲେ । ମାତ୍ର ସୁକିନ୍ଦା ପୁଲିସ ସେମାନଙ୍କୁ କଳିଙ୍ଗନଗର ଥାନାକୁ ପଠାଇଥିଲା । ପ୍ରଥମେ କଳିଙ୍ଗନଗର ଥାନା ପୁଲିସ ଏତଲା ରଖିବାକୁ ମନା କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ପୁଲିସ କେସ୍ ନଂ ୨୫୯/୨୬, ଭାରତୀୟ ନ୍ୟାୟ ସୁରକ୍ଷା ସଂହିତାର ଧାରା ୭୦(୧), ୧୧୫(୨) ଏବଂ ୧୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ୨ ଅଭିଯୁକ୍ତ ତଦନ୍ତ ସମୟରେ ସ୍ୱୀକାର କରିଥିବାବେଳେ ସେମାନଙ୍କୁ ଡାକ୍ତରୀ ମାଇନା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ବ୍ୟବହୃତ ବାଇକ୍ ଓ ମୋବାଇଲକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

You might also like