ଭୁବନେଶ୍ୱରରେ ଶୀତ ଋତୁର ପ୍ରଥମ ଘନ କୁହୁଡ଼ି
ଭୁବନେଶ୍ୱର ( ରାଜ୍ୟକାହାଣୀ )ଶୀତ ଋତୁ ଆସିନି, ହେଲେ ରାଜଧାନୀରେ ଦେଖିବାକୁ ମିଳିଲାଣି ଘନ କୁହୁଡ଼ି। ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ସକାଳୁ ସକାଳୁ କୁହୁଡ଼ିର ମୋଟା ଆସ୍ତରଣ ଦେଖିବାକୁ ମିଳିଛି। ଆଜି ସକାଳୁ ସହରର ସର୍ବନିମ୍ନ ଦୃଶ୍ୟମାନ ଦୂରତା ପ୍ରାୟ ୧୫୦ ମିଟରକୁ ଖସିଆସିଛି ।
କେବଳ ଭୁବନେଶ୍ୱର ନୁହେଁ, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଆଜି ସକାଳୁ ଚଳିତ ବର୍ଷର ପ୍ରଥମ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଘନ କୁହୁଡ଼ି କାରଣରୁ ସକାଳୁ ସକାଳୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟ, ଗଛଲତାଠାରୁ ଆରମ୍ଭ କରି ବଡ଼ ବଡ଼ ବିଲ୍ଡିଂ ପର୍ଯ୍ୟନ୍ତ ସବୁକିଛି କୁହୁଡ଼ିରେ ଲୁଚି ରହିଥିବା ଦେଖିବାକୁ ମିଳିଛି। ବିଶେଷକରି ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବଢ଼ିଛି।କୁହୁଡ଼ି ସମୟରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗାଡ଼ିର ଫଗ୍ ଲାଇଟ୍ ବ୍ୟବହାର କରିବା ସହ ଗତି ନିୟନ୍ତ୍ରଣରେ ରଖିବା ଜରୁରୀ। ଏଥିସହ ଆଗରେ ଯାଉଥିବା ଗାଡ଼ିଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବା ଆବଶ୍ୟକ।