ସାରା ରାଜ୍ୟରେ ଲଘୁଚାପ ବର୍ଷା:ଆଜି ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର (ରାଜ୍ୟ କାହାଣୀ )ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଥିଲା। ତେବେ ଆଜି ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ପାଣିପାଗ ବିଭାଗ ଏଭଳି ଆକଳନ କରିଛି। ୩ ଓ ୪ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ସ୍ଥିତିକୁ ନେଇ ଧାମରା, ଚାନ୍ଦବାଲି ଓ ପାରାଦୀପ ବନ୍ଦରରେ ସ୍ଥାନୀୟ ସତର୍କ ସଙ୍କେତ ନମ୍ବର-୨ (ଏଲ୍ସି-୨) ଏବଂ ପୁରୀ, ଗୋପାଳପୁର ଓ ଛତ୍ରପୁର ବନ୍ଦରରେ ନିମ୍ନ ସ୍ଥାନୀୟ ସତର୍କ ସଙ୍କେତ ନମ୍ବର-୨ (ଏଲ୍ସି-୨) ଜାରି କରାଯାଇଛି।