ରାଜ୍ୟରେ ଖୁବ୍ଶୀଘ୍ର ଗଡ଼ିବ ହାଇଡ୍ରୋଜେନ୍ ବସ୍
ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଜ୍ୟରେ ଖୁବ୍ଶୀଘ୍ର ଗଡ଼ିବ ହାଇଡ୍ରୋଜେନ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ୩ଟି ବସ୍ ଚଳାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।ଭୁବନେଶ୍ୱର- କଟକ-ଖୋର୍ଦ୍ଧା-ପୁରୀ-କୋଣାର୍କ ରୁଟ୍ରେ ଏହି ବସ୍ ସେବା ଆରମ୍ଭ ହେବ ।ଭୁବନେଶ୍ୱରର ପୋଖରୀପୁଟସ୍ଥିତ ‘କ୍ରୁଟ୍’ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫୁଏଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ ତିନୋଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା କରାଯାଇଛି ।ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ ୨୬୦ କିଲୋଗ୍ରାମ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରିବା ସହ ଆଦର୍ଶ ସ୍ଥିତିରେ ଏହି ବସ୍ ଗୁଡ଼ିକୁ ଦୈନିକ ୬୦୦ କିଲୋମିଟର ପର୍ଯ୍ୟନ୍ତ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୫୩.୫୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ ଆକଳନ କରାଯାଇଛି, ଯେଉଁଥିରୁ ନୂତନ ଏବଂ ନବୀକରଣଯାଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ ୧୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ବାକି ଅର୍ଥ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି । ତେବେ ଏହି ପ୍ରକଳ୍ପ ସ୍ୱଚ୍ଛ ଓ ଦକ୍ଷ ସାଧାରଣ ପରିବହନର ବିକଳ୍ପ ଯୋଗାଇବା ସହ ଶୂନ୍ୟ ନିର୍ଗମନ ସୁନିଶ୍ଚିତ କରିବ । ଫଳରେ ବାର୍ଷିକ ପ୍ରାୟ ୯୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ, ଯାହା ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ହେବ ।