ବଢ଼ିଲା ଜଳସ୍ତର: ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ଦିରକୁ ଯିବା ରାସ୍ତାରେ ପାଣିର ସ୍ରୋତ ବିପଦଜନକ ହୋଇପଡ଼ିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ଗେଟ୍ରେ ତାଲା ପକାଯାଇଛି । ଭକ୍ତମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ଫଳରେ ଦର୍ଶନ ପାଇଁ ଆସିଥିବା ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରିଯାଇଛନ୍ତି । ସ୍ଥାନୀୟ ପ୍ରଶାସନ ମଧ୍ୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଜଳସ୍ତର ସ୍ୱାଭାବିକ ହେବା ପରେ ପରିସ୍ଥିତିର ସମୀକ୍ଷା କରି ପୁଣି ଥରେ ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ମିଳିଛି ।